ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ: ୧୦୮ ଅମାନିଆଙ୍କ ଠାରୁ ଆଦାୟ ହେଲା ୫୪ ହଜାର ଟଙ୍କା ଜୋରିମାନା

ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରାଯାଇଥିବା ବେଳେ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତକାଲି ଠାରୁ ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହ ଚା’, ଜଳଖିଆ, ଗୁପଚୁପ ଓ ଉଠା ଦୋକାନ ଗୁଡିକରେ ସାମାଜିକ ଦୂରତାକୁ ଅଣଦେଖା କରାଯାଉଛି। ଲକଡାଉନ ୫ରେ କୋହଳ କରାଯାଇଥିବା ନିୟମ ଉଲଂଘନ କରୁଥିବା ବ୍ୟବସାୟୀ ମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଆକ୍ସନମୁଡକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି।

 

ଗତକାଲି ନିଜେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପୁଲିସ ଫୋର୍ସ ସହ ମୁଖ୍ୟ ବଜାର ସମେତ ବିଭିନ୍ନ ଜନଗହଳି ଅଞ୍ଚଳରେ ବୁଲି ଖୋଲାରେ ଖାଦ୍ୟ ବିକ୍ରି କରୁଥିବା ଉଠା ଦୋକାନୀ, ଗୁପଚୁପ ଠେଲା ଗୁଡିକୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାପରେ ଆଜି ଦେବଗଡ଼ ତହସିଲଦାର ପଲ୍ଲଭି ନାୟକ, ଡେପୁଟୀ କଲେକ୍ଟର ଦିବ୍ୟ ଶଙ୍କର ଜୟପୁରିଆ ପ୍ରମୁଖ ପୁଲିସ ଫୋର୍ସ ସହ ଦେବଗଡ଼ ପୌରାଞ୍ଚଳ ସମେତ, ବାରକୋଟ ଓ ରିଆମାଳ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଅମାନିଆଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଆଜି ଲକଡାଉନ ୫ ନିୟମ ଉଲଂଘନ ଅଭିଯୋଗରେ ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ୧୦୮ଜଣ ଅମାନିଆଙ୍କ ଠାରୁ ୫୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।