ଶବକୁ ଅସମ୍ମାନ: ଗାଡ଼ି ନ ମିଳିବାରୁ ଷ୍ଟ୍ରେଚରରେ ବୋହି ଗାଁକୁ ନେଲେ ଶବ

ମାଲକାନଗିରି,ଏନ୍ଏନ୍ଏସ୍: ଶବକୁ ଅସମ୍ମାନ କରି ଷ୍ଟ୍ରେଚରରେ ବୁହାଯିବା ଭଳି ଏକ କରୁଣ ଚିତ୍ର ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ମୁଖ୍ୟ ବଜାରରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ମୂଷାକିଗୁଡ଼ା ଗ୍ରାମର ଜଣେ ବୃଦ୍ଧା ପଡିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଏହାପରେ ବୃଦ୍ଧାଙ୍କ ଶବକୁ ଘର ପର୍ଯ୍ୟନ୍ତ ନେବାପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ। ମାତ୍ର ମେଡିକାଲରେ ଆମ୍ବୁଲାନ୍ସ ମହଜୁଦ ନଥିବାରୁ ମେଡିକାଲ ପକ୍ଷରୁ ଗାଡି ପାଇଁ ମନା କରାଯାଇଥିଲା।

ଏହାପରେ ପରିବାର ଲୋକ ଅନ୍ୟତ୍ର ଗାଡି ବ୍ୟବସ୍ତା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡି ଭଡ଼ା ମୁତାବକ ପାଖରେ ପଇସା ନଥିଲା। ପରେ ପରିବାର ଲୋକେ ଷ୍ଟ୍ରେଚରରେ ପ୍ରାୟ ୩ କିଲୋମିଟର ଚାଲି ଚାଲି ଶବକୁ କାନ୍ଧେଇ ନିଜ ଗ୍ରାମ ମୂଷାକିଗୁଡା ପର୍ଯ୍ୟନ୍ତ ନେଇଥିଲେ।

ସାରା ଦେଶ କରୋନା ମୁକାବିଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ନେଇ ଗୌରବାନ୍ୱିତ ମନେକରୁଥିବା ବେଳେ ବୃଦ୍ଧାଙ୍କ ଶବକୁ ଏଭଳି ଭାବରେ ନିଆଯିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଥିସହ ମେଡିକାଲ କର୍ତ୍ତୃପକ୍ଷଙ୍କ ମାନବିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ବାବଦରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ପାଣ୍ଡୁ ଚରଣ ମଣ୍ଡଳଙ୍କୁ ପଚାରିବାରୁ ମେଡିକାଲର ଆମ୍ବୁଲାନ୍ସ ଖରାପ ଥିବାରୁ ପରିବାର ଲୋକ ଗାଡି ଯୋଗାଡ଼ କରିନପାରି କାନ୍ଧରେ ଭାର କରି ନେଇଥିଲେ ବୋଲି କହିଛନ୍ତି।