ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଯୋଗୁଁ ବିସ୍ଥାପନ ପ୍ରସଙ୍ଗ: ସନ୍ଧିବାହାଲି ଗାଁ’ରେ ପହଞ୍ଚିଲା ପ୍ରଶାସନ

ନୂଆପଡା,ଏନ୍ଏନ୍ଏସ୍: ଚଳିତ ବର୍ଷ ନୂଆପଡ଼ା ଜିଲ୍ଲା ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପରେ ଆବଶ୍ୟକ ମୁତାବକ ପାଣି ରଖିବାକୁ ପଦକ୍ଷେପ ନିଆଯାଉଛି। ଏନେଇ ପ୍ରକଳ୍ପକୁ ଲାଗି ରହିଥିବା କୋମନା ବ୍ଲକ୍‌ ସନ୍ଧିବାହାଲି ଗାଁର ୨୫ଟି ଘର ଭଙ୍ଗା ଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ କେଉଁ ଘର ଭଙ୍ଗା ଯିବ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଗାଁରେ ଅସନ୍ତୋଷ‌ ଦେଖାଦେଇଛି। ମଙ୍ଗଳବାର ଗ୍ରାମ୍ୟ କମିଟି ଓ ବିସ୍ଥାପିତ ସମିତି ସଦସ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଂପୃକ୍ତ ଅଧିକାରୀ ଅନ୍ୟ ପଦାଧିକାରୀଙ୍କ ସହ ବୁଧବାର ଗାଁକୁ ଆସି ବିଷଦ୍ ଭାବେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସେହି କ୍ରମରେ ବୁଧବାର ପ୍ରଶାସନ ପକ୍ଷରୁ ଏକ ତଦନ୍ତକାରୀ ଦଳ ସନ୍ଧିବାହାଲି ଗାଁରେ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିବା ଜଣାପଡ଼ିଛି। ବିସ୍ଥାପିତ ନିୟମ ଅନୁସାରେ ଗାଁର ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୯୪ ଜଣଙ୍କୁ ସହାୟତା ରାଶି ମିଳିନଥିବା, ୧୦ଜଣ ଭୂମିହୀନ ପୂର୍ବପୁରୁଷରୁ ସରକାରୀ ଜମିରେ ଘରକରି ରହିଆସୁଥିବା, ଅନ୍ୟତ୍ର ଘର ଥିବା ବେଳେ ୩୨ ଜଣଙ୍କ ଚାଷ ଜମି ଗାଁରେ ରହିଥିବା, ଚାଷଜମି ହରାଉଥିବା ୧୬ ଜଣ ମୋଟ ୧୫୨ ଜଣଙ୍କ ଠାରୁ ପ୍ରମାଣପତ୍ର ସଂଗ୍ରହକରି ତଦନ୍ତକାରୀ ଦଳ ଫେରି ଯାଇଛନ୍ତି। ଏହା ପରେ ସନ୍ଧିବାହାଲି ଗାଁ’ରେ ଶାନ୍ତ ପରିବେଶ ଦେଖାଦେଇଛି।

ଆଜି ପ୍ରଶାସନ ତରଫରୁ ହେବାକୁଥିବା ଘର ଭଙ୍ଗା କାର୍ଯ୍ୟରେ ଗାଁ ଲୋକେ ସହଯୋଗ କରିବା ପାଇଁ ମତପ୍ରକାଶ କରିଥିଲେ। ଏନେଇ ଏଲଇଓ ତରଣୀସେନ ସୁନାଙ୍କୁ ପଚାରିବାରୁ ବିଭାଗୀୟ ତରଫରୁ ସନ୍ଧିବାହାଲି ଗାଁକୁ ଏକ ତଦନ୍ତକାରୀ ଦଳ ଯାଇ ତଦନ୍ତ କରି ପ୍ରମାଣପତ୍ର ନେଇ ଆସିଛନ୍ତି। ତାହାକୁ ତଦନ୍ତ କରାଯାଇ ଦିନେ ଦୁଇ ଦିନ ଭିତରେ ଜିଲ୍ଲାପାଳଙ୍କ ପାଖକୁ ପଠାଇ ଦିଆଯିବ। ଏହା ପରେ ଜିଲ୍ଲାପାଳ ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି ।