ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଜାତୀୟ ରାଜପଥ ୨୬ରୁ କୁଟୁରାମୁଣ୍ଡା ରାସ୍ତାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଲାଣି। ଉକ୍ତ ରାସ୍ତାରେ କୁଟୁରାମୁଣ୍ଡା ଗ୍ରାମ ନିକଟରେ ଥିବା ଗିରି ଗୋବର୍ଦ୍ଧନ ନାଳ ଉପରେ ଏକ ସେତୁ ନିର୍ମାଣ ସମ୍ପୃକ୍ତ ଠିକା ସଂସ୍ଥା କରୁଥିବା ବେଳେ ଉକ୍ତ ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ସଇଁନ୍ତଲା ଆରଡି ତରଫରୁ ହେଉଥିବା ଏହି ସେତୁ ନିର୍ମାଣ କାର୍ଯ୍ୟଟି ସଇଁନ୍ତଲାର ଠିକାଦାର ତୁଳସୀ ରାମ ଅଗ୍ରୱାଲ ନେଇଛନ୍ତି। ବିଜୁ ସେତୁ ଯୋଜନାରେ ୧୬୮.୩୫ ଲକ୍ଷ ଟଙ୍କାର ଉକ୍ତ ସେତୁଟି ନିର୍ମାଣ ହେଉଛି। ସେତୁର ଲମ୍ବ ୩୨.୩୧ ମିଟର ଥିବା ବେଳେ ପ୍ରସ୍ଥ ୭.୫୦ ମିଟର ରହିଛି। ଗତ ୨୩ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇ ୨୨ ଅକ୍ଟୋବର ୨୦୨୨ରେ ନିର୍ମାଣ କାର୍ଯ୍ୟ ସରିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଧାରୁ ଅଧିକ କାମ ସରିବା ଉପରେ ଯାଉଛି।
