ଧାନ ବିକ୍ରି ନେଇ ଚାଷୀ ପ୍ରତିନିଧି ଓ ପ୍ରସାଶନ ମଧ୍ୟରେ ଆଲୋଚନା

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ଜିଲ୍ଲାର ଧାନ ବିକ୍ରି ବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ଜୟ କିସାନ ଆନ୍ଦୋଳନର କର୍ମକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଧାନ ବିକ୍ରି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସଂଗଠନ ତରଫରୁ ଲିଖିତ ଭାବେ ଜଣାଇବା ପରେ ଏହି ବୈଠକ ଡକା ଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା- ବରଗଡ଼, ଅତାବିରା, ଭେଡ଼େନ, ଭଟଲି, ପାଇକମାଲ ଓ ସୋହେଲାର ଚାଷୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା । ଏହି ଅବସରରେ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାର ସମାଧାନ ଦିଗରେ ପ୍ରସାଶନ ପକ୍ଷରୁ ୨ଟି ପ୍ରତିଶ୍ରୁତି ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଡିଆରସିଏସ ଚାଷୀ ପ୍ରତିନିଧିଙ୍କୁ କହିଥିଲେ । ଚାଷୀ ଯେଉଁଦିନ ଧାନ ଆଣିବ ସେହି ଦିନରେ ହିଁ ଅନଲାଇନ ଏଣ୍ଟ୍ରି କରି ଆଖି ସ୍କାନ କରାଯିବ । ସଂପୃକ୍ତ ମିଲ ମାଲିକ ବଦମାସି କଲେ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଇ କଳା ତାଲିକାଭୁକ୍ତ କରାଯିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ କହିଥିଲେ । ଏହି ଆଲୋଚନାରେ ଜୟ କିସାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ମହେଶ୍ୱର ପ୍ରଧାନ, ଅରୁଣ ପ୍ରଧାନ, ବିଶ୍ୱନାଥ ରଣା, ସରୋଜ ପ୍ରଧାନ, ଭଂଜନ ବାରିକ, ସିଲିଂ ସାହୁ ରଂଜନ ସାହୁ ଓ ବାଳକୃଷ୍ଣ ବନଛୋର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।