ଫୁଲବାଣୀ/ଗୋଛାପଡା,ଏନ୍ଏନ୍ଏସ୍:ସିଆରପିଏଫ୍ର ଅତିରିକ୍ତ ମହାନିର୍ଦ୍ଦେଶକ ନିତିନ ଅଗ୍ରୱାଲା ଆଜି ଏକ ସ୍ୱତନ୍ତ୍ର ହେଲିକାପ୍ଟରରେ ଦିନିକିଆ କନ୍ଧମାଳ ଗସ୍ତରେ ଆସି ମାଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଏଡିଜି ଅଗ୍ରଓ୍ବାଲ ଏକ ସ୍ୱତନ୍ତ୍ର ସେନା ହେଲିକାପ୍ଟରରେ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଠାରେ ଥିବା ରିଜର୍ଭ ପୁଲିସ ପଡିଆରେ ଓହ୍ଲାଇବା ପରେ କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡା ଥାନା ପରିସରରେ ଥିବା ୧୨୭ ବ୍ୟାଟାଲିଅନ ସିଆର୍ପିଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ। ସିଆର୍ପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ସିଆର୍ପିଏଫ୍ ଯବାନ ମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ। ଏହାସହ କ୍ୟାମ୍ପରେ ସିଆର୍ପିଏଫ୍ ଯବାନ ମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷ କରି ମାଓ ଗତିବିଧି ଉପରେ ଧ୍ୟାନ ଦେବା ପାଇଁ ଯବାନ ମାନଙ୍କୁ ଏଡିଜି ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ମାଓ ଦମନ ଦିଗରେ ସିଆର୍ପିଏଫ୍ର ସଫଳତାକୁ ଏଡିଜି ପ୍ରଶଂସା କରିବା ସହ ସିଆର୍ପିଏଫ୍ ଯବାନ ମାନଙ୍କ ମନୋବଳ ବୃଦ୍ଧି ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଗସ୍ତ ଏକ ପ୍ରୟାସ ଓ ଆଗାମୀ ଦିନରେ ସିଆର୍ପିଏଫ୍ ବାହିନି ମାଓବାଦୀ ମାନଙ୍କୁ ଦମନ କରିବା ପାଇଁ ସଂଘର୍ଷ ଜାରି ରଖିବ ବୋଲି ଏଡିଜି କହିବା ସହ ଓଡିଶା ପୁଲିସକୁ ମଧ୍ୟ ପ୍ରଶଂସା କରିଥିଲେ। ଏଡିଜିଙ୍କ ଗସ୍ତ ପାଇଁ ଗୋଛାପଡା ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ଭାବେ କଡାକଡ଼ି କରାଯାଇଥିବା ବେଳେ ଏହି ଗସ୍ତ ସମୟରେ ବାଲିଗୁଡା ଏସଡିପିଓ ଜି ରାଘବେନ୍ଦ୍ର, ସିଆରପିଏଫ ଆଇ.ଜି ସଂଗ୍ରାମ କେଶରୀ ମହାନ୍ତି, ଗୋଛାପଡା ୧୨୭ ବ୍ୟାଟାଲିୟନ ସିଆର୍ପିଏଫ୍ କାମାମେଣ୍ଡେଣ୍ଟ ଆନନ୍ଦ ଝା, ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।