ଟ୍ରକ ଧକ୍କାରେ ଡିପ୍ଲୋମା ଛାତ୍ର ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ଗାଡ଼ପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ନୂଆଗାଁ ଗ୍ରାମର ପଞ୍ଚାନନ କିସାନ । ମିଳିଥିବା ରିପୋର୍ଟ ମୁତାବକ, ପଞ୍ଚାନନ ଜଣେ ଡିପ୍ଲୋମା ଛାତ୍ର ହୋଇଥିବାବେଳେ ଆଜି ଛେଣ୍ଡିପଦା ପଟୁ ନିଜ ଗ୍ରାମ ନୂଆଗାଁକୁ ଫେରୁଥିଲେ । ଗାଡ଼ପାଳ ଗ୍ରାମ ନିକଟରେ ସମ୍ମୁଖ ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ବାଇକୁ ଧକ୍କା ଦେବା ପରେ ଟ୍ରକଟି ରାସ୍ତା ତଳକୁ ପଶି ଯାଇଥିଲା । ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବାବେଳେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ଜଣାପଡ଼ିଛି ।