ସୋମବାର ଡିଜିଟାଲ ପେମେଣ୍ଟ ସଲ୍ୟୁଶନ ଇ-ରୁପିର ଶୁଭାରମ୍ଭ

  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ସଲ୍ୟୁଶନ ଇ-ରୁପିର ଶୁଭାରମ୍ଭ କରିବେ। ବିନା ବାଟମାରଣାରେ ସରକାରୀ ସୁବିଧା କିଭଳି ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ବିଗତ କିଛି ବର୍ଷରେ ଏଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ନିଆରା ସୁବିଧା ଅନୁଯାୟୀ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ଟଚ୍ ପଏଣ୍ଟ ରହିଛି। ଏପରି ସେବା ସୁଶାସନ ଦୃଷ୍ଟିକୋଣକୁ ଆଗେଇ ନେବ ବୋଲି ସରକାର ଆଶାବାଦୀ ଅଛନ୍ତି। ଇ-ରୁପି ଡିଜିଟାଲ ପେମେଣ୍ଟ ଏକ ନଗଦ ବିହୀନ ଓ ସମ୍ପର୍କମୁକ୍ତ ମାଧ୍ୟମ। ଏହା ଏକ କ୍ୟୁଆର କୋଡ କିମ୍ବା ଏମଏମଏସ ଷ୍ଟ୍ରିଙ୍ଗ ଆଧାରିତ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲରେ ପହଞ୍ଚିଥାଏ। ଏହି ଅବାଧ ଏକକାଳୀନ ଦେୟ ପୈଠ ବ୍ୟବସ୍ଥାର ବ୍ୟବହାରକାରୀ ଭାଉଚରକୁ କାର୍ଡ ବ୍ୟବହାର ନକରି ଡିଜିଟାଲ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ସେବା ପ୍ରଦାନକାରୀଙ୍କ ନିକଟରେ ରିଡିମ କରିପାରିବେ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ନିଜ ୟୁପିଆଇ ପ୍ଲାଟଫର୍ମରେ ବିତ୍ତୀୟ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା ବିକଶିତ ହୋଇଛି।
    କୌଣସି ଫିଜିକାଲ ଇଣ୍ଟରଫେସ ବିନା ଡିଜିଟାଲ ଶୈଳୀରେ ହିତାଧିକାରୀ ଓ ସେବା ପ୍ରଦାନକାରୀଙ୍କ ସହ ସେବାର ପ୍ରାୟୋଜକଙ୍କ ସହ ଯୋଡିଥାଏ। ନେଣଦେଣ ସରିବା ପରେ ଏହା ସେବା ପ୍ରଦାନକାରୀଙ୍କୁ ଦେୟ ପୈଠ ସୁନିଶ୍ଚିତ କରିବ। ପ୍ରି-ପେଡ ହୋଇଥିବାରୁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ପୈଠ ସମ୍ଭବ ହୋଇପାରିବ। ବାଟମାରଣାମୁକ୍ତ କଲ୍ୟାଣକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ଉପକ୍ରମ ହେବ ବୋଲି ଆଶା ରହିଛି। ଏପିରିକି ବେସରକାରୀ କ୍ଷେତ୍ରଗୁଡିକ ମଧ୍ୟ ନିଜ କର୍ମଚାରୀ କଲ୍ୟାଣ ଓ କର୍ପୋରେଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଡିଜିଟାଲ ଭାଉଚର ଉପଯୋଗ କରିପାରିବେ।