ପ୍ରବାସୀଙ୍କ ହୋହାଲ୍ଳା

ଧୂଷୁରୀ,ଏନ୍ଏନ୍ଏସ୍ : ରାଜ୍ୟ ବାହାରୁ ଫେରିଥିବା ପ୍ରବାସୀମାନେ ଆଜି ଧାମନଗର ବ୍ଲକର ଶହୀଦନଗର ଠାରେ ହୋ ହାଲ୍ଲା କରିଛନ୍ତି। ସେମାନଙ୍କ ପାଇଁ ସ୍ଥିରୀକୃତ କ୍ୱାରେଣ୍ଟାଇନ ସେଣ୍ଟରରେ କେହି ନଥିବା ଯୋଗୁଁ ଦୀର୍ଘ ସମୟ ବାହାରେ ଛିଡ଼ା ହେବା ପରେ ଏମାନଙ୍କ ଅସନ୍ତୋଷ ଏପରି ସ୍ଥିତି ସୃଷ୍ଟି କରିଥିଲା। ବିଭିନ୍ନ ରାଜ୍ୟରେ ଥିବା ଧାମନଗର ବ୍ଳକର ନଦୀଗାଁ, ଖଡ଼ିପଦା, ଧାମନଗର ପ୍ରଭୃତି ଅଂଚଳର ୨୩ଜଣ ବ୍ୟକ୍ତି ରାଜ୍ୟକୁ ଫେରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭଣ୍ଡାରିପୋଖରୀରୁ ଶୁକ୍ରବାର ପୂର୍ବାହ୍ନ ୧୧ ବେଳେ ଏକ ସ୍ୱତନ୍ତ୍ର ବସରେ ଶହୀଦନଗର ଅଣାଯାଇଥିଲା। ସ୍ଥାନୀୟ ହାଇସ୍କୁଲରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ରହିବାକୁ ଥିବା ବେଳେ ଏମାନେ କିଛି ସମୟ ବାହାରେ ଛିଡ଼ା ହୋଇଥିଲେ ବି କେହି ନଥିବାରୁ ସେମାନେ ବିରକ୍ତ ଯାଇଥିଲେ। ବୁଲାବୁଲି କରିବା କାରଣରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପାଣି ପିଇବା ପାଇଁ ବାଧ୍ୟ ଏମାନେ ପାଇ ନଥିଲେ। ଶେଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପାଟିତୁଣ୍ଡ କରିଥିଲେ। ପରେ ସ୍ଥାନୀୟ ପଂଚାୟତ କର୍ତୃପକ୍ଷ ଆସି ଏମାନଙ୍କ ବୁଝାସୁଝା କରିଥିଲେ।