ଝାରସୁଗୁଡ଼ାରେ ଇଏସଆଇର ରିଜୋନାଲ ଅଫିସ ଖୋଲିବା ପାଇଁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ଇଏସଆଇସିର ରିଜୋନାଲ୍ ସବ ଅଫିସ୍ ଏବଂ ୧୨ଟି ସ୍ଥାନରେ ଡିସପେନସେରି ଖୋଲିବା ପାଇଁ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଦେଶରେ ଅନେକ ରାଜ୍ୟରେ ୨ରୁ ଅଧିକ ଇଏସଆଇସି ରିଜୋନାଲ୍ ସବ ଅଫିସ୍ ରହିଥିବା ଉଲ୍ଲେଖ କରାଯାଇଛି। କିନ୍ତୁ ଓଡ଼ିଶାର ଭୁବନେଶ୍ୱରଠାରେ ମାତ୍ର ଗୋଟିଏ ଅଫିସ୍ ରହିଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ଇଏସଆଇର ଏକ ରିଜୋନାଲ ଅଫିସ ଏବଂ ବ୍ରଜରାଜନଗର, ବେଲପାହାଡ଼ ଓ ରାଜ୍ୟର ୧୨ଟି ସ୍ଥାନରେ ଇଏସଆଇର ଡିସପେନସେରି ଖୋଲାଯାଉ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ପ୍ରକଶଯୋଗ୍ୟ ଯେ, ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାବେଳେ କର୍ମଚାରୀମାଙ୍କୁୁ ସାମାନ୍ୟ ଇଏସଆଇ କାମ ପଡ଼ିଲେ ଭୁବନେଶ୍ୱରକୁ ଯିବାକୁ ପଡ଼ୁଛି। ତେଣୁ ଏହାର ସବ ଅଫିସକୁ ଝାରସୁଗୁଡ଼ା ଜିଲ୍ଲାରେ କଲେ ଝାରସୁଗୁଡ଼ା ତଥା ସମସ୍ତ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ଓଡ଼ିଶା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ। ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଆଜି ଧର୍ମେନ୍ଦ୍ର ଝାରସୁଗୁଡ଼ାରେ ଇଏସଆଇସିର ରିଜୋନାଲ୍ ସବ ଅଫିସ୍ ସହ ୧୨ ଟି ସ୍ଥାନରେ ଡ଼ିସପେନସେରି ଖୋଲିବା ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।