ବିମାନ ବିଳମ୍ବ ଥିଲେ ଯାତ୍ରୀଙ୍କୁ ଜଣାଇବାକୁ ଡିଜିସିଏଙ୍କ ନିର୍ଦ୍ଦେଶ

ମୁମ୍ବାଇ: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଣିକି ବିମାନ ବିଳମ୍ବ ହେଲେ କିମ୍ବା ଶେଷ ମୁହୂର୍ତ୍ତରେ ପ୍ରସ୍ଥାନସ୍ଥଳଦ୍ୱାରରେ ପରିବର୍ତ୍ତନ ହେଲେ ଏୟାରଲାଇନ୍ସ ତରଫରୁ ଯାତ୍ରୀମାନଙ୍କୁ ଅବଗତ କରାଯିବ। ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାରଲାଇନ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି।

ବିମାନ ଚଳାଚଳରେ ଅଧଘଣ୍ଟାରୁ ଅଧିକ ବିଳମ୍ବ ହେଲେ ଏବଂ ପ୍ରସ୍ଥାନସ୍ଥଳଦ୍ୱାରରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ହେଲେ ବିମାନ କମ୍ପାନୀ ଏସଏମଏସ୍ ଜରିଆରେ ଯାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରିବା ଆବଶ୍ୟକ ବୋଲି ଡିଜିସିଏ ମୁଖ୍ୟ ଅରୁଣ କୁମାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ୩୦ ମିନିଟରୁ ଅଧିକ ସମୟ ଧରି ବିମାନ ବିଳମ୍ବ ଥିଲେ କିମ୍ବା ବିମାନବନ୍ଦରରେ ଶେଷ ମୁହୂର୍ତ୍ତରେ ବୋର୍ଡିଂ ଦ୍ୱାର ପରିବର୍ତ୍ତନ ହେଲେ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଏସଏମଏସ ପଠାଇ ଅବଗତ କରାଇବାରେ ସମସ୍ତ ପ୍ରୟାସ କରିବା ଉଚିତ୍ ବୋଲି ଡିଜିସିଏ କହିଛି।

ବିମାନ ବିଳମ୍ବ ତଥା ବାତିଲ୍ ଏବଂ ବୋର୍ଡିଂ ଦ୍ୱାର ପରିବର୍ତ୍ତନ ସମ୍ବନ୍ଧରେ ଯାତ୍ରୀମାନଙ୍କୁ ଅପଡେଟ୍ କରିବା ଲାଗି ଏୟାରଲାଇନ୍ସ ପ୍ରତି ୩୦ ମିନିଟ୍ରେ ଥରେ ଲେଖାଏଁ ବାରମ୍ବାର ଏସଏମଏସ୍ କରିବା ଆବଶ୍ୟକ। ଶୀତଦିନରେ ଦିଲ୍ଲୀ, ଅମୃତସର ଏବଂ ଲକ୍ଷେ୍ନø ଆଦି ଉତ୍ତର ଭାରତୀୟ ବିମାନବନ୍ଦରରେ କୁହୁଡ଼ିଜନିତ ସମସ୍ୟା ପାଇଁ ବିମାନ ବିଳମ୍ବ ହୋଇଥାଏ। ତେଣୁ ଶୀତଦିନ ପୂର୍ବରୁ ଡିଜିସିଏ ଏହି ନିର୍ଦ୍ଦେଶ ଜାରି କରିଛି।