କନିଷ୍ଠ ଯନ୍ତ୍ରୀ ନଥିବାରୁ ବିକାଶମୂଳକ କାର୍ଯ୍ୟ ବ୍ୟାହତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଅନେକ ସରକାରୀ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ବ୍ୟାହତ ହେଉଛି । ୧୨ଟି ପଞ୍ଚାୟତକୁ ନେଇ ବ୍ଲକ ଗଠିତ ହୋଇଥିବାବେଳେ ମାତ୍ର ୩ଜଣ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି । ୧୨ଟି ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଠିକଭାବେ ତଦାରଖ ହୋଇପାରୁ ନଥିବାରୁ ଏନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି । ବୋରପଦର, ଜୋରାଡ଼ବରା, ରେଗଡ଼ା ଓ ସାପଲହରା ଗ୍ରାମପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ଶିର୍କା ବ୍ଲକ କାର୍ଯ୍ୟାଳୟକୁ ନିୟମିତ ଭାବେ ଆସୁ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ଶ୍ରମିକମାନେ କାମ କରି ମଧ୍ୟ ପାଉଣା ଠିକ ଭାବରେ ପାଇ ପାରୁନାହାନ୍ତି । କନିଷ୍ଠ ଯନ୍ତ୍ରୀ ଶ୍ରୀ ଶିର୍କା ସଦର ମହକୁମା ଭବାନୀପାଟଣାରେ ରହି କିଛି ଦଲାଲ ଓ ଠିକାଦାରଙ୍କ ଇସାରାରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସମ୍ମୁଖରେ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ନିରବ କାର୍ଯ୍ୟକଳାପକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ଅନ୍ୟପଟେ କର୍ଲାମୁଣ୍ଡା ବ୍ଲକରେ ୧୦ରୁ ୧୫ ପ୍ରତିଶତ ପିସି କାରବାର ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେଥିପାଇଁ ଏଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।