ଦେବଗଡ଼,ଏନ୍ଏନ୍ଏସ୍: ରାଜସ୍ଥାନର କୋଟାକୁ ପାଠ ପଢ଼ିବା ପାଇଁ ଯାଇ ଲକଡାଉନ ଯୋଗୁଁ ଅଟକି ରହିଥିବା ଦେବଗଡ଼ ଜିଲ୍ଲାର ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଅଭିଭାବକ ଏକ ବସ ଯୋଗେ ଆସି ଜିଲ୍ଲା ସଦର ମହକୁମାରେ ପହଁଚିଛନ୍ତି। ଦେବଗଡ଼ରେ ପହଁଚିବା ପରେ ସେମାନଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପକୁ ନିଆଯାଇଥିଲା ଯେଉଁଠି ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଏକ ହୋଟେଲରେ କ୍ୱାରେନଣ୍ଟାଇନରେ ରହିଥିବାବେଳେ ଅନ୍ୟ ୪ଜଣ ହୋମ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ନିଜ ବ୍ଲକକୁ ଯାତ୍ରା କରିଥିଲେ। ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ, ପୌରାଞ୍ଚଳର ଅନ୍ୟାନ୍ୟ କର୍ମଚାରୀ ଓ ପୁଲିସ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ଯୋଗୁ ଆସି ପାରୁନଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟା ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲା। ଫଳରେ ଦେବଗଡ଼ ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଅଭିଭାବକ ଏବଂ ଢେଙ୍କାନାଳ ଜିଲ୍ଲାର ୧୩ଜଣ ଛାତ୍ରଛାତ୍ରୀ ଫେରି ପାରିଥିଲେ।