ଜନସାଧାରଣଙ୍କ ମୁହଁରେ ମାସ୍କ ଲଗାଇ ସଚେତନ କଲେ ଦେବଗଡ଼ ଥାନା ପୁଲିସ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲକଡାଉନ କରାଯାଇଥିବା ବେଳେ ଏହାକୁ କଡାକଡି ପାଳନ ପାଇଁ ପୁଲିସ ବାହିନୀଙ୍କୁ ୨୪ ଘଣ୍ଟିଆ ଦାୟିତ୍ୱ ଦିଆଯାଇଛି। ଲକଡାଉନ ନିୟମ ପାଳନ କରାଇବାକୁ ଯାଇ ବିଭିନ୍ନ ସ୍ଥାନରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ଉପୁଜିଛି। ଏହିପରି ସମୟରେ ଦେବଗଡ଼ ଜିଲ୍ଲାରେ କିନ୍ତୁ ଚିତ୍ର ଭିନ୍ନ ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ସମସ୍ତ ଥାନାଞ୍ଚଳରେ ପୁଲିସ ବଳ ମୁତୟନ କରାଯାଇ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ ଅମାନିଆଙ୍କୁ ଆକଟ ପାଇଁ ଜୋରିମାନା ମଧ୍ୟ କରାଯାଉଛି।

ଆଜି ଦେବଗଡ଼ ମୁଖ୍ୟ ବଜାର ଛକ ଠାରେ ଦେବଗଡ଼ ଥାନା ପୁଲିସ ପକ୍ଷରୁ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବଗଡ଼ ଥାନା ପୁଲିସ ବଜାର ପଟ ଦେଇ ଯାଉଥିବା ବୃଦ୍ଧବୃଦ୍ଧା, ଗରିବ ଏବଂ ଅଭାବି ଲୋକଙ୍କୁ ନିଜ ହାତରେ ମାସ୍କ ପିନ୍ଧାଇ ସଚେତନ କରିବା ସହ ନିହାତି ଆବଶ୍ୟକତା ନଥିଲେ ଘରୁ ନବାହାରିବାର ପରାମର୍ଶ ଦେଇଛନ୍ତି। ଏହି ସମୟରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଥିଲା। ମହାମାରୀ କାଳରେ ପୁଲିସ ପ୍ରତି ଜନସାଧାରଣଙ୍କ ମନରେ ବନ୍ଧୁତ୍ୱ ଭାବ ସୃଷ୍ଟି କରି ନୂତନ ଉଦାହରଣ ସୃଷ୍ଟି କରିଥିବା ବେଳେ ଜିଲ୍ଲା ପୁଲିସର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଦେବଗଡ଼ ଥାନା ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ, ପ୍ରତାପ ଦଳେଇ ଓ ବେଦବର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଆଜି ମୁଖ୍ୟ ବଜାର ସମେତ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ମୁହଁରେ ମାସ୍କ ବାନ୍ଧୁଥିବା ଦେଖିବାକୁ ମିଳିଥିଲା।