ଲକଡାଉନ : ଗରିବଙ୍କୁ ବାଣ୍ଟିଲେ ଚାଉଳ, ମାଙ୍କଡ଼ଙ୍କ ପାଇଁ ରନ୍ଧା ଖାଦ୍ୟ

ଦେବଗଡ଼,ଏନ୍ଏନ୍ଏସ୍ : ସମ୍ପ୍ରତି କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଦେଶ ଏବେ ଲକଡାଉନ । ରେଳପଥ, ଆକାଶ ପଥ, ରାଜପଥ ସବୁ ବନ୍ଦ । ରୋଜଗାର ଆଶାରେ ଅନ୍ୟ ରାଜ୍ୟକୁ ଯାଇଥିବା ଶ୍ରମିକ ଫଶି ରହିଥିବା ବେଳେ ସେମାନଙ୍କ ଫେରିବା ବାଟକୁ ଚାହିଁ ଦିନ କାଟୁଛନ୍ତି ସେମାନଙ୍କ ପରିବାର । ଅନ୍ୟ ପକ୍ଷରେ କରୋନା ମୁକାବିଲା ପାଈଁ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ଜନସଚେତନା ସୃଷ୍ଟି କରାଯାଉଥିବା ବେଳେ କାମଧନ୍ଦା ହରାଇ ଚିନ୍ତାରେ ପଡିଛନ୍ତି ଅନେକ ନିରାଶ୍ରୟ ।

ଏଭଳି ଲୋକଙ୍କ ପାଈଁ ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିବା ବେଳେ ଦେବଗଡ଼ ପୌରାଞ୍ଚଳ ୧୧ନମ୍ବର ୱାର୍ଡ ଅନ୍ତର୍ଗତ ରଜାମୁଣ୍ଡା ଠାରେ ସୁଧୀର କୁମାର ବ୍ରହ୍ମ ନାମକ ଜଣେ ଯୁବ ସ୍ୱେଚ୍ଛାସେବୀ ନିଜ ହାତରୁ ଗରିବମାନଙ୍କୁ ଚାଉଳ ବାଣ୍ଟିବା ସହ ସହରର ବଜାର ଓ ଜନଗହଳି ସ୍ଥାନରେ କାନ୍ଧରେ ସ୍ପ୍ରେ ମେସିନ୍ ଧରି ଅଂଚଳକୁ ସାନିଟାଈଜ଼ କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଠାରେ ପର୍ଯ୍ୟଟକ କିମ୍ୱା ସ୍ଥାନୀୟ ଲୋକଙ୍କ ଯିବା ଆସିବା ହେଉ ନଥିବାରୁ ସେଠାରେ ଥିବା ମାଙ୍କଡମାନଙ୍କ ପାଈଁ ଖାଦ୍ୟଅଭାବ ଦେଖା ଯିବାରୁ ସେ ଘରୁ ଭାତ ରାନ୍ଧି ଖାଦ୍ୟ ଧରି ମାଙ୍କଡମାନଙ୍କୁ ଦେଉଥିବା ଜଣା ପଡିଛି । ଆଜି ରଜାମୁଣ୍ଡା ଅଞ୍ଚଳର ୭୦ ଜଣ ଗରିବ ପରିବାରଙ୍କୁ ଶ୍ରୀ ବ୍ରହ୍ମ ପରିବାର ପିଛା ୪କେ.ଜି ଲେଖାଏଁ ଚାଉଳ ବାଣ୍ଟି ଥିବାବେଳେ ଏହି ଧାରା ଆଗକୁ ମଧ୍ୟ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି ।