ବନ୍ଦେ ଉତ୍କଳ ଜନନୀ ଗାନରେ କମ୍ପିଲା ସହର

ଦେବଗଡ,ଏନ୍ଏନ୍ଏସ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରି ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ନିର୍ଦ୍ଧାରିତ ସମୟରେ ଜିଲ୍ଲାର ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଓଡିଆ ଜାତୀୟତାର ବନ୍ଧନକୁ ମଜବୁତ କରି ସମସ୍ତଙ୍କୁ ପ୍ରେରଣା ଯୋଗାଇବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ସାରା ଜିଲ୍ଲାରେ ଅଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାପାଳଙ୍କ ଠାରୁ ଧରି ଅସ୍ଥାୟୀ କର୍ମଚାରୀ, ବିଭିନ୍ନ ସ୍ୱେଚ୍ଚାସେବୀ ସଂଗଠନ, ବ୍ୟବସାୟୀ ତଥା ସମସ୍ତ ବର୍ଗର ଜନସାଧାରଣ ଆଜି ଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଅନାଥ ଆଶ୍ରମର ଶିଶୁ ଏବଂ ଶିଶୁସୁରକ୍ଷା ବିଭାଗର କର୍ମକର୍ତାଙ୍କ ସହ ଯୋଗରେ ସ୍ଥାନୀୟ ବଡବଗିଚା ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା। ଏଥିରେ କୁନି କୁନି ଶିଶୁମାନେ କରୋନା ଯୋଦ୍ଧାଙ୍କ ବେଶ ଭୂଷାରେ ସଜ୍ଜିତ ହୋଇ ସଂଗୀତର ତାଳେ ତାଳେ ନିଜ କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ।

ସେହିପରି ଅଧିକ ଜନଗହଳିକୁ ସମ୍ଭାବନା ଦୃଷ୍ଟିରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପୁଲିସର ବ୍ୟାଣ୍ଡ ସହ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏଥିରେ ବହୁ କ୍ରୀଡାବିତ , ସ୍ୱଂୟ ସହାୟକ ଗୋଷ୍ଠୀ ,ସ୍ୱେଚ୍ଛାସେବୀ ଓ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ। ଦେବଗଡ ସହରର ଷ୍ଟେଟ ବ୍ୟାଙ୍କ ଛକ ,ଗୋବନ୍ଧୁ ଛକ ,ସରକାରୀ ବାଳିକା ବିଦ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦେ ଉତ୍କଲ ଜନନୀ ଗାନ କରା ଯାଇଥିବା ବେଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ, କୋଭିଡ ହସ୍ପିଟାଲ , ଆଦର୍ଶ ଥାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ପରିସର ଏବଂ ତିଲେଇବଣୀ, ରିଆମାଳ ଓ ବାରକୋଟ ବ୍ଲକରେ ଥିବା ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ସମ୍ମୁଖରେ ସାମାଜିକ ଦୂରତା ପାଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା।

ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନ ଗୁଡିକ ପରିଦର୍ଶନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂବା ପରେ ତାଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାସ୍ଥରୀୟ ଅଧିକାରୀ , କର୍ମଚାରୀ ଓ ଜନସାଧାରଣ ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତଗାନ କରିଥିଲେ। ଶେଷରେ କରୋନା ଯୋଦ୍ଧାଙ୍କୁ କରତାଲି ଦେଇ ଉତ୍ସାହିତ କରିଥିଲେ ।