ସ୍ୱଳ୍ପ ସମୟରେ ଉତ୍ପାଦନକ୍ଷମ ବିହନ ଯୋଗାଇବାକୁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚଳିତ ବର୍ଷ ବନ୍ୟା ଯୋଗୁ ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କ ଧାନ ଫସଲ ଉଜୁଡ଼ିଯାଇଛି। ଫଳରେ ସେମାନଙ୍କ ବର୍ଷକର ଆୟ ପନ୍ଥା ବନ୍ଦ ହୋଇଯାଇଛି। ସେଥିପାଇଁ ଚାଷୀଙ୍କୁ ସହଯୋଗ କରିବା ଲାଗି ସ୍ୱଳ୍ପ ସମୟରେ ଉତ୍ପାଦନକ୍ଷମ ଡାଲିି ଓ ପନିପରିବା ବିହନ ଯୋଗାଇଦେବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏଥିସହିତ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଗଠିତ ଏକ କମିଟି ଆଜି ଝାରସୁଗୁଡ଼ା ଉଦ୍ୟାନ କୃଷି ଅଧିକାରୀଙ୍କୁ ସାକ୍ଷାତ କରି ଚାଷୀଙ୍କୁ ତୁରନ୍ତ ବିହନ ପ୍ରଦାନ କରିବା ପାଇଁ କହିଛନ୍ତି। ଚାଷୀଙ୍କୁ ଏହି ବିହନ ଶୀଘ୍ର ଏବଂ ମାଗଣାରେ ପ୍ରଦାନ କରାଗଲେ ସେମାନେ ପୁଣିଥରେ ଚାଷ କରି ଦି ପଇସା ରୋଜଗାର କରିପାରିବେ। ଚାଷୀମାନେ ବନ୍ୟାରେ ସହିଥିବା କ୍ଷତିକୁ ସାମନ୍ୟ ଦୂର କରିବାରେ ଏହା ସହଯୋଗ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।