ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ହାଇସ୍କୁଲ ଛକରେ ଏକ ଅଜଣା କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଶବକୁ ଦେବଗଡ-ଅନୁଗୁଳ ଜାତୀୟ ରାଜରାସ୍ତାରେ ରଖି ଆଜି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଜନସାଧାରଣ। ପ୍ରକାଶ ଥାଉକି ଗତରାତିରେ ରେଙ୍ଗାଳବେଡା ହାଇସ୍କୁଲ ଛକର ବାସିନ୍ଦା ମାନଗୋବନ୍ଦ ନାୟକଙ୍କ ପୁଅ ବୈକୁଣ୍ଠ ନାୟକ (୪୦) ରାସ୍ତାରେ ଯାଉଥିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଜନସାଧାରଣ ଓ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ମେଡିକାଲକୁ ନେଇଥିଲ। ଡାକ୍ତର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ହସ୍ପିଟାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
କ୍ଷତି ପୂରଣ ପାଇଁ ପରିବାର ଓ ସ୍ଥାନୀୟ ଜନସାଧାରଣ ଶବକୁ ଦେବଗଡ-ଅନୁଗୁଳ ଜାତୀୟ ରାଜରାସ୍ତାରେ ରଖି ରାସ୍ତା ରୋକ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ଜିଦିରେ ଅଟଳ ଅଛନ୍ତି।