ଦିଲ୍ଲୀ ହିଂସା ଘଟଣା: ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟାକାଣ୍ଡରେ ୫ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ହିଂସାରେ ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ଘଟଣାରେ ଆଜି ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ଚାନ୍ଦବାଗ୍ ଅଞ୍ଚଳର ଫିରୋଜ୍, ଜାବେଦ୍, ଗୁଲଫାମ୍ ଏବଂ ଶୋଏବ୍ ବୋଲି ଜଣାପଡିଛି। ସେହିପରି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ଯିଏକି ମୁସ୍ତଫାବାଦର ବୋଲି ଜଣାପଡିଛି। ଏହା ପୂର୍ବରୁ ସଲମାନ୍ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଅଙ୍କିତ୍ ହତ୍ୟାକାଣ୍ଡରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।

ସବୁ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ୍ ଜରିଆରେ ଗିରଫ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଏହି ହତ୍ୟାକାଣ୍ଡରେ ପାଖାପାଖି ୧୦ରୁ ୧୨ଜଣ ଲୋକ ସାମିଲ୍ ଅଛନ୍ତି। ତେବେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ସ୍କେଚ୍ ପ୍ରସ୍ତୁତ କରି ପୁଲିସ୍ ଛାନଭିନ୍ ଜାରି ରଖିଛି। ଆପରୁ ବାହାର କରାଯାଇଥିବା ନେତା ତାହିର୍ ହୁସେନଙ୍କୁ ମଧ୍ୟ ଜେରା କରାଯାଉଛି। ତାହିରଙ୍କୁ ବି ଗିରଫ କରିବାର ସମ୍ଭାବନା ରହିଛି। ପୁଲିସଙ୍କ କହିବାନୁସାରେ, ହିଂସା ମାମଲାରେ ୨,୧୬୨ଟି ଭିଡିଓ ଫୁଟେଜ୍ ଜନତାଙ୍କ ପକ୍ଷରୁ ପୋଲିସଙ୍କୁ ମିଳିଛି। ଯେଉଁଥିରୁ ୧୩୩୦ଟି ଗୁରୁତ୍ୱପୂର୍ଣ୍ଣ ଭିଡିଓ ରହିଛି।