ସିଏଏ ନିଆଁରେ ଜଳୁଛି ଦିଲ୍ଲୀ : ମୃତ୍ୟୁ ସଂଖ୍ୟା ୫, ମୁଖ୍ୟମନ୍ତ୍ରୀ ଡକାଇଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ନିଆଁ ଜଳୁଛି । ୩ ଦିନ ହେଲାଣି ଦିଲ୍ଲୀ ଅଶାନ୍ତ ହୋଇପଡ଼ିଛି । ଜାଫରାବାଦ, ମୌଜପୁର ଏବଂ ବ୍ରହ୍ମପୁରୀ ଅଞ୍ଚଳରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଗୁଳିମାଡ଼, ପଥରମାଡ଼ ଯୋଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଜଣେ କନଷ୍ଟେବଳ ମଧ୍ୟ ଅଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି ।

ଦିଲ୍ଲୀର ଡିସିପି, ଏସିପି ଓ କେତେଜଣ ପୁଲିସ କର୍ମଚାରୀଙ୍କ ସମେତ ୬୦ ଜଣ ହିଂସାରେ ଆହତ ହୋଇଛନ୍ତି । ବିକ୍ଷୋଭକାରୀ ୪୫ ସ୍ଥାନରେ ନିଆଁ ଲାଗାଇ ଦେଇଛନ୍ତି । ୧୦ ଜିଲାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିଲେ ହେଁ ମଙ୍ଗଳବାର ସକାଳୁ ପୁଣି ଥରେ ବ୍ରହ୍ମପୁରୀ ଏବଂ ମୌଜପୁର ଅଞ୍ଚଳରେ ପଥରମାଡ଼ ସହିତ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । ତେବେ ବ୍ରହ୍ମପୁରୀରେ ସକାଳୁ ପଥରମାଡ଼ ହେବା ପରେ ରାପିଡ୍‌ ଆକ୍ସନ ଫୋର୍ସ ସମ୍ପୃକ୍ତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି । ହିଂସା ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବାବେଳେ ପରୀକ୍ଷା ବାତିଲ କରାଯାଇଛି।

ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରି ନ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡକାଇଛନ୍ତି । ନିଜ ସରକାରୀ ବାସଭବନରେ ଏହି ବୈଠକ ବସିବ । ଏଥିରେ ହିଂସା ପ୍ରଭାବିତ ଅଞ୍ଚଳର ବିଧାୟକ ଏବଂ ଅଧିକାରୀମାନେ ଉପସ୍ଥିତ ରହିବେ । କିପରି ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ବୈଠକ‌ରେ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।