ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ: ଯୁଗ୍ମ-ଅଯୁଗ୍ମ ଯାନବାହନ ଚଳାଚଳ ମିଆଦ ବଢ଼ିବ

ନୂଆଦିଲ୍ଲୀ, ଏଜେନ୍ସି: ଦିଲ୍ଲୀରେ ଗତ ଦୁଇଦିନ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲାବେଳେ ବୁଧବାର ପୁଣି ତାହା ଗୁରୁତର ରୂପ ଧାରଣ କରିଛି। ବୁଧବାର ଦିଲ୍ଲୀ-ଏନସିଆରରେ ବାୟୁର ଗୁଣାତ୍ମକ ମାନକ (ଏକ୍ୟୁଆଇ) ୪୭୨ ଥିବା ରେକର୍ଡ କରାଯାଇଛି। ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ। ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ଖରାପ, ୩୦୧-୪୦୦ ଅତି ଖରାପ, ୪୦୧-୫୦୦ ଗୁରୁତର ଏବଂ ୫୦୦ରୁ ଅଧିକ ହେଲେ ଅତି ଗୁରୁତର (ସିଭିୟର-ପ୍ଲସ୍) ବୋଲି ଧରାଯାଏ। ଟ୍ରାଫିକ୍ ଭିଡ଼ କମାଇବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ନଭେମ୍ବର ୪ରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯୁଗ୍ମ-ଅଯୁଗ୍ମ ନମ୍ବର ଯାନବାହନ ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ।

ବର୍ତ୍ତମାନ ସ୍ଥିତିରେ ଏହି ବ୍ୟବସ୍ଥାର ମିଆଦ ବୃଦ୍ଧି କରାଯିବାକୁ ଚିନ୍ତା କରାଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଧୂଆଁଳିଆ ପରିବେଶ ପାଇଁ କେଜରିୱାଲ ହରିଆଣା ଓ ପଞ୍ଜାବ ସରକାରଙ୍କୁ ଦୋଷାରୋପ କରିଛନ୍ତି। ଅପରପକ୍ଷରେ ସୁପ୍ରିମକୋର୍ଟ ଦିଲ୍ଲୀରେ ପ୍ରଦୂଷଣ ରୋକିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।