ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ତାଣ୍ତବ ରଚୁଛି ମହାମାରୀ କରୋନା। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏହାରି ମଧ୍ୟରେ ଅକ୍ସିଜେନ ଅଭାବ ପାଇଁ ପ୍ରତିଦିନ ଏକାଧିକ ରୋଗୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଲାଗି ରହିଛି। ଏନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ ସିଲିଣ୍ତର ଦିଲ୍ଲୀକୁ ଯୋଗାଣ ଆରମ୍ଭ ହୋଇଛି।
ମହାମାରୀ ଭିତରେ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ହୋମ ଆଇସୋଲେସନରେ ରହି ଚିକିତ୍ସା ହେଉଥିବା କରୋନା ରୋଗୀଙ୍କୁ ଆଉ ରହିବନି ଅକ୍ସିଜେନ ଅଭାବ। ସେମାନଙ୍କୁ ଆଉ ଅକ୍ସିଜେନ ପାଇଁ କୋଭିଡ ମେଡିକାଲକୁ ଯିବାକୁ ପଡିବ ନାହିଁ। ଏନେଇ ଅରବିନ୍ଦ କେଜ୍ରିୱାଲ ଏକ ଆପ ବିକଶିତ କରିଛନ୍ତି। ସେହି ଆପରେ ସଂକ୍ରମିତ ବ୍ୟକ୍ତି ନିଜ ପଜିଟିଭି ରିପୋର୍ଟ, ଏକ ଫଟୋ ଓ ଆଧାର କାର୍ଡ ମାଧ୍ୟମରେ ରେଜିଷ୍ଟ୍ରେସନ କଲେ ସୁବିଧାରେ ଘରେ ଅକ୍ସିଜେନ ପହଞ୍ଚି ପାରିବ। ଯାହା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିପାରିବ। ଏନେଇ ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।