ଦିଲ୍ଲୀ ମଣ୍ଡିରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ବିଲ୍ଡିଂ ମାଲିକ ଫେରାର

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ହୋଇଛି। ଏଥିସହ ୧୧ ଜଣ ଆହତ ହୋଇଛନ୍ତି। ଅନେକ ଲୋକ ଏପର୍ଯ୍ୟନ୍ତ ଫସି ରହିଥିବାବେଳେ ସେଥିମଧ୍ୟରୁ ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଡିଏସ୍‌ପି ସମୀର ଶର୍ମା। ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ସନ୍ଧ୍ୟା ସମୟରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଦୁଃଖ ଘଟଣା ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ବିଟ କରି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଶୀଘ୍ର ସୁସ୍ଥ ହେବାନେଇ କାମନା କରିଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ଲକ୍ଷଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଶୋକପ୍ରକାଶ କରିଛନ୍ତି।