ଦେହରାଦୁନରେ ଅନଲାଇନ ଫୁଡ ଡେଲିଭରି ବୟଙ୍କ ପାଠଶାଳା

ଦେହରାଦୁନ: ଅନଲାଇନ ଫୁଡ କମ୍ପାନୀର ଡେଲିଭରି ବୟଙ୍କ ଉପରେ ସର୍ବଦା ଟାର୍ଗେଟ ପୂରଣ କରିବାର ଚାପ ରହିଥାଏ । ଯଥାଶୀଘ୍ର ଫୁଡ ଡେଲିଭରି କରିବାର ଚାପରେ ଦୁର୍ଘଟଣା ଘଟିଥାଏ । ଏଭଳି ସ୍ଥିତିରେ ପରିବହନ ବିଭାଗ ଦୁର୍ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ଆପଣାଇଛି । ଦେହରାଦୁନରେ ଅନଲାଇନ ଫୁଡ ଡେଲିଭରି ବୟଙ୍କୁ ଆରଟିଓ ଟ୍ରେନିଂ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ହେଲମେଟ ପିନ୍ଧିବା ସହ ଅନ୍ୟର ଜୀବନକୁ ବାଜି ଲଗାଇ ଫୁଡ ଡେଲିଭରି ନ କରିବା ଲାଗି କୁହାଯାଇଛି । ଡେଲିଭରି ବୟଙ୍କୁ ଯାତାୟତ ନିୟମର ମଧ୍ୟ ଟ୍ରେନିଂ ଦିଆଯାଇଛି ।

ଏହାପୂର୍ବରୁ ଫୁଡ ଯଥାଶୀଘ୍ର ପହଞ୍ଚାଇବା ଚାପ ଯୋଗୁ ଜଣେ ଡେଲିଭରି ବୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଫୁଡ ଡେଲିଭରି କମ୍ପାନୀ ଉପରେ ଲଗାମ ଲଗାଇବା ନେଇ ନିଷ୍ପତ୍ତି ନେଇଥିଲା । ପୁନର୍ବାର ଏଭଳି ସଡ଼କ ଦୁର୍ଘଟଣା ଘଟିଲେ ଫୁଡ଼ କମ୍ପାନୀ ଦାୟୀ ରହିବେ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।