ନାଉଗାଁ,ଏନ୍ଏନ୍ଏସ୍: ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶନିବାର ଉଦଘାଟିତ ହୋଇଯାଇଛି। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କୃତିତ୍ୱ ହାସଲ କରିବାକୁ ହେଲେ ପ୍ରକୃତିର କୋଳରେ ନିଜକୁ ସମର୍ପଣ କରିବାକୁ ହେବ ବୋଲି କହିଥିଲେ। ଆଜିର ଶିଶୁ କାଲିର ନୂତନ ସୂର୍ଯ୍ୟ। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କ କୋମଳମତୀ ମନରେ ଆତ୍ମବିଶ୍ୱାସ ଭରିଦେବା ପାଇଁ ଅଭିଭାବକମାନଙ୍କୁ ରାଜ୍ୟପାଳ ନିବେଦନ କରିଥିଲେ।
ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପ୍ରାତଃ ସମୟରୁ ପବିତ୍ର ଧର୍ମକ୍ଷେତ୍ର ଅଲଣା ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଓ ଦିବଜ୍ୟୋତି ଅଣାଯାଇ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ପ୍ରତିଷ୍ଠା ଯଜ୍ଞର ପୂର୍ଣ୍ଣାହୂତୀ କାର୍ଯ୍ୟ ସମାପନ କରାଯାଇଥିଲା। ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲାଙ୍କ ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ଫଳକ ଉଦଘାଟନ କରାଯାଇଥିଲା।
ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅର୍ଜୁନ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବରେ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକମାନଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।