ଡେକୋରେଟ ପାଇଁ ରଖାଯାଇଥିବା ଲାଇଟ୍ ତାର ଚୋରି କରୁଥିବା ବେଳେ ଧାର ପଡ଼ିଲେ ୨ ଚୋର

ଭୁବନେଶ୍ବର,ଏନ୍ଏନ୍ଏସ୍: ଦୂର୍ଗାପୂଜା ମଣ୍ଡପ ଡେକୋରେଟ ହେବାପାଇଁ ରଖାଯାଇଥିବା ଲାଇଟ୍ ଏବଂ ବୈଦୁତିକ ଉପକରଣକୁ ବ୍ଲଡ଼ରେ କାଟି ଚୋରି କରୁଥିବା ବେଳେ ମଣ୍ଡପର କର୍ମକର୍ତ୍ତାଙ୍କ ହାତରେ ଧରାପଡ଼ିଲେ ୨ ଚୋର। ଏନେଇ ଗତକାଲି ଶହୀଦନଗର ଥାନାରେ ଅଭିଯୋଗ ହେବା ସହିତ ଚୋରଙ୍କୁ ପୁଲିସରେ ହସ୍ତାନ୍ତର କରାଯାଇଥିଲା। ଅଭିଯୋଗକାରୀ ଶଚିନନ୍ଦ ନାୟକଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନାରେ ଉପରୋକ୍ତ ଚୋରୀ ମାମଲା ରୁଜୁ କରାଯାଇଥିଲା। ଶହୀଦନଗର ଥାନା ପୁଲିସ ମାମଲାର ତଦନ୍ତ କରିବା ସହ ଉକ୍ତ ୨ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲାର କିରଣ ନାୟକ (୨୦) ଓ ରଞ୍ଜନ ନାୟକ। ସେମାନଙ୍କ ନିକଟରୁ ୧୬ ପିସ୍ ଇଲେକ୍ଟିକ୍ ଲାଇଟ ଜବତ ହୋଇଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଶହୀଦନଗର ଦୂର୍ଗାପୂଜା ମଣ୍ଡପ ନିକଟକୁ ଗୋଟିଏ ଟାଟା ଏସିଇ ଗାଡିରେ ଆସିଥିଲେ। ସେମାନେ ଦୂର୍ଗାପୂଜା ମଣ୍ଡପ ଡେକୋରେଟ ହେବାପାଇଁ ରଖାଯାଇଥିବା ଲାଇଟ୍ ଏବଂ ବୈଦୁତିକ ଉପକରଣକୁ ବ୍ଲଡ଼ରେ କାଟି ଚୋରି କରି ନେଇଯାଉଥିଲେ। ଏହି ସମୟରେ ଉକ୍ତ ମଣ୍ଡପର କର୍ମକର୍ତ୍ତାମାନେ ସେମାନଙ୍କୁ କାବୁ କରିନେଇଥିଲେ। କିନ୍ତୁ ସମ୍ପୃକ୍ତ ଡ୍ରାଇଭର ଗାଡି ସହିତ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଶହୀଦନଗର ଦୂର୍ଗାପୂଜା ମଣ୍ଡପର ସମ୍ପାଦକ ଏନେଇ ଶହୀଦନଗର ଥାନାରେ ଅଭିଯୋଗକରିବା ପରେ ଶହୀଦନଗର ଥାନା ପୁଲିସ ଟିମ୍‌ ଉକ୍ତ ସ୍ଥାନରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ଵୀକାର କରିବାପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି ଏବଂ ଅଭିଯୁକ୍ତ ଡ୍ରାଇଭର କୁ ଗିରଫ ପାଇଁ ପ୍ରୟାସ ଜାରି ରହିଛି।