ପ୍ରେମ ପରେ ପ୍ରତାରଣା; ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ଯୁବତୀଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ପ୍ରେମ ପରେ ପ୍ରତାରଣା କରିଥିବା ନେଇ ଦେବଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ଗ୍ରାମର କଂସାରୀ କିସାନଙ୍କ ପୁଅ ସୁଜ୍ଞାନୀ କିସାନ(୨୦) ଗତ ୨ ବର୍ଷ ଧରି ନିଜ ଗ୍ରାମର ଜଣେ(୧୯) ବର୍ଷୀୟ ଯୁବତୀଙ୍କୁ ପ୍ରେମ କରି ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ।

ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ସୁଜ୍ଞାନୀଙ୍କୁ ବିବାହ ପାଇଁ କହିଥିଲେ। ଉଭୟ ପରିବାରର ସମ୍ମତିରେ ସୁଜ୍ଞାନୀକୁ ୨୧ ବର୍ଷ ହେବା ପରେ ବିବାହ କରିବାକୁ ରାଜି ହୋଇଥିଲେ। ତେବେ ବାହାଘର ହୋଇନଥିବାରୁ ଯୁବତୀ ଜଣଙ୍କ ବାପ ଘରେ ରହିଥିଲେ। ଏହି ସମୟେ ଯୁବତୀଙ୍କ ଚିକିତ୍ସା ସହ ଅନ୍ୟାନ୍ୟ ଦାୟିତ୍ୱ ବୁଝା ସୁଝା ପାଇଁ ସୁଜ୍ଞାନୀ ସହ ଚୁକ୍ତି ହୋଇଥିଲା। ମାତ୍ର ସୁଜ୍ଞାନୀ ଓ ତା ପରିବାର ଲୋକେ ପରେ ଉକ୍ତ ଚୁକ୍ତିରୁ ଓହରି ଯିବାସହ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ମାଡ ମାରି ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଉଥିଲେ।

ଏନେଇ ଯୁବତୀ ଜଣଙ୍କ ଗତକାଲି ସୁଜ୍ଞାନୀ ଓ ତାଙ୍କ ଭଉଣୀ ପ୍ରେମା କିସାନ ବିରୋଧରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଅଭିଯୁକ୍ତମାନେ ଫେରାରଥିବା ଜଣାପଡ଼ିଛି।