ବିହାରରେ ମଦ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

ପାଟନା,ଏଜେନ୍ସି: ବଢିବାରେ ଲାଗିଛି ବିହାରରେ ମଦ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୧୮ ଜଣ ଛପରା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି । ଗତ ବୁଧବାର ବିହାରର ଛପରା ଜିଲ୍ଲାର ସାରଣ ଅଞ୍ଚଳରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଏସପି ସନ୍ତୋଷ କୁମାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସ୍‌ଆଇ ରିତେଶ ମିଶ୍ର ଏବଂ କନଷ୍ଟେବଳ ବିକାଶ ତିୱାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଏହି ଘଟଣା ପରେ ମାଢୋରା ଡିଏସପିଙ୍କ ନେତୃତ୍ୱରେ ଏସପି ସନ୍ତୋଷ କୁମାର ଏକ ଦଳ ଗଠନ କରି ଛପରାରେ ବେଆଇନ ମଦ ବ୍ୟବସାୟୀଙ୍କୁ ଗିରଫ କରିବାକୁ ତଦନ୍ତ ଜାରି ରଖିଛନ୍ତି । ଏହା ବ୍ୟତୀତ ଆଉ ଦୁଇଟି ଦଳ ମଧ୍ୟ ଗଠନ କରାଯାଇଛି । ମଶ୍ରକ ଏବଂ ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୬ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ପୁଲିସର ଚଢାଉ ପରେ ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପସିଛି ।

ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ମାଧୋରା ଏବଂ ମଶ୍ରକରେ ମଦ୍ୟପାନ ଯୋଗୁଁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ମଧ୍ୟ ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଷାକ୍ତ ମଦ୍ୟ ପାନ ଯୋଗୁଁ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଜାନୁଆରୀ ୨୦୨୨ରେ, ବିହାରର ବକ୍ସର, ସାରଣ ଏବଂ ନାଳନ୍ଦା ଜିଲ୍ଲାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସବୁ ଘଟଣା ଦେଖିଲେ ବିବାହରେ ମଦ କାରବାର ନିଷେଧ କରିବା କେତେ ସଫଳ ହୋଇଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।