କେରଳ ବନ୍ୟାରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି, ୨୧ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ନୂଆଦିଲ୍ଲୀ,ଏଜେନ୍ସି: କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି। ରବିବାର ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଜିଲ୍ଲାରୁ ହୋଇଥିବା ବେଳେ ୯ ଜଣ ହେଉଛନ୍ତି ଇଡ୍ଡୁକୀର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତୀୟ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୧ଟି ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ। ଅକ୍ଟୋବର ୧୮ରୁ ୨୦ ମଧ୍ୟରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଅକ୍ଟୋବର ୧୮ରୁ ୨୧ ମଧ୍ୟରେ ଅରୁଣାଚଳପ୍ରଦେଶ, ଆସାମ ଓ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହୁଛି।

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ସେଥିପାଇଁ ସାମୟିକ ସମୟ ପାଇଁ ବଦ୍ରୀନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। କେରଳର କୋଟାୟମ ଜିଲ୍ଲାରେ ମୁଣ୍ଡକାୟମ ଜିଲ୍ଲାରେ ଜଳସ୍ରୋତରେ ଏକ କୋଠାଘର ଭୁଶୁଡ଼ି ପଡ଼ିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଅକ୍ଟୋବର ୧୮ରୁ ୧୯ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ପଣ୍ଡିଚେରୀରେ ଅକ୍ଟୋବର ୨୦ରୁ ବର୍ଷା ବଢ଼ିବ। ଦକ୍ଷିଣ ଭାରତୀୟ ରାଜ୍ୟରେ ୪ ଦିନ ବର୍ଷା ଜାରି ରହିବ। ପଶ୍ଚିମବଙ୍ଗ, ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହୁଛି।