ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢ଼ାଉଛନ୍ତି: ଅଶ୍ବିନୀ ଚୌବେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି। ଅତୀତରେ ବର୍ଷ ବର୍ଷ ଧରି ବିଳମ୍ବ ନିଷ୍ପତି ହେଉଥିବାବେଳେ ବର୍ତ୍ତମାନ ମୋଦୀ ସରକାର ପ୍ରତି ମାସରେ ପରିବେଶ ସଂକ୍ରାନ୍ତୀୟ ସମସ୍ତ ସମୀକ୍ଷା କରି ତୁରନ୍ତ ନିଷ୍ପତି ନେଉଛନ୍ତି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯାହା ପ୍ରସ୍ତାବ ଯିବ, ତାକୁ କେନ୍ଦ୍ର ସରକାର ଅବିଳମ୍ବେ ସହଯୋଗ କରିବାକୁ ପ୍ରସ୍ତୁତ। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବକା ପ୍ରୟାସ’ ଆଧାରରେ ମୋଦୀ ସରକାର ଏକ ନୂତନ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି। ଓଡିଶା ସରକାର ଅଯଥାରେ ଅଭିଯୋଗ ନଆଣି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ବିକାଶ କାର୍ଯ୍ୟକୁ ଆଗେଇ ନିଅନ୍ତୁ ଏବଂ କେନ୍ଦ୍ରୀୟ ଯୋଜନାକୁ ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କହିଛନ୍ତି।

ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ବସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଛି। ଏହା ଦ୍ଵାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି। ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡ଼ିଶାର ପୁରୀ ବେଳଭୂମିର ସଫେଇ କାର୍ଯ୍ୟରେ ଯୋଗଦେଇଥିଲି। ବର୍ତ୍ତମାନ ସୁଦ୍ଧା ୭୫୦ ଟନ୍‌ ଆବର୍ଜନାକୁ ଜୈବିକ ପଦ୍ଧତିରେ ନଷ୍ଟ କରାଯାଇଛି। ଏହା ଦ୍ଵାରା ବେଳାଭୂମିର ଉନ୍ନତି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଆଗାମୀ ୫ ବର୍ଷରେ ଦେଶର ୧୦୦ଟି ପ୍ରମୁଖ ସମୁଦ୍ରବେଳାକୁ ସ୍ଵଚ୍ଛ, ନିର୍ମଳ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଚୈବେ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଅନୀତା ଶୁଭଦର୍ଶୀନି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।