ଏସୟୁଏଚରେ ଆଶ୍ରିତ ବୃଦ୍ଧାଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ପୌରପରିଷଦ ପକ୍ଷରୁ ପରିଚାଳିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରିତା ଜଣେ ବୃଦ୍ଧାଙ୍କର ଆଜି ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତ ପ୍ରାୟ ୨ ବର୍ଷ ପୂର୍ବେ ରାସ୍ତାକଡ଼ରେ ପଡ଼ିଥିବା ଜଣେ ନିରାଶ୍ରୟା ବୃଦ୍ଧା ଶାନ୍ତିଲତା ନାୟକ (୯୦) ଙ୍କୁ ପୌର ପରିଷଦର ଏସୟୁଏଚ କର୍ମଚାରୀ ଉଦ୍ଧାର କରି ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଥଇଥାନ କରିଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଶାନ୍ତିଲତା ଅଚେତ ଥିବା ଜାଣି ଆଶ୍ରୟସ୍ଥଳୀର ଦାୟିତ୍ୱରେ ଥିବା କର୍ମଚାରୀ ଘଟଣା ସମ୍ପର୍କରେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପରେ ଶାନ୍ତିଲତାଙ୍କୁ ସିଏମଏମ ଅଭିଷେକ ମିଶ୍ର ଓ ଗୋଷ୍ଠୀ ସଂଗଠିକା ମୋନାଲିସା ପଣ୍ଡା ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆସନ୍ତାକାଲି ଶବ ବ୍ୟବଛେଦ ପରେ ପୌରପରିଷଦ ଏସୟୁଏଚ ପକ୍ଷରୁ ମୃତଦେହ ସଂସ୍କାର କରାଯିବ ବୋଲି ସିଏମଏମ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।