ମସ୍‌ଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ, ୫୦ରୁ ଊର୍ଦ୍ଧ୍ୱ ମୃତ

କାବୁଲ,ଏଜେନ୍ସି: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ଶୁକ୍ରବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ତେବେ ବିସ୍ଫୋରଣରେ ଶତାଧିକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଶୁକ୍ରବାର ନମାଜପାଠ ଚାଲିଥିବା ବେଳେ ମସଜିଦ୍‌ରେ ବିସ୍ଫୋରଣ ହେବାରୁ ଭୟଙ୍କର ସ୍ଥିତି ଦେଖାଯାଇଛି ।

ଶୁକ୍ରବାର ଅପରାହ୍ନ ସମୟରେ ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ଥିବା ଖଲିଫା ସାହିବ ମସଜିଦରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ବେସୁମୁଲ୍ଲା ହବିବ ଏହା କହିଛନ୍ତି । ତେବେ ମୁଖପାତ୍ର କହିଛନ୍ତି ଯେ, ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦ । ଶୁକ୍ରବାର ନମାଜ ପାଠ ସମୟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା ବେଳେ ମସଜିଦ୍‌ର ମୁଖ୍ୟ ସୟଦ ଫାଜିଲ ଆଘା କହିଛନ୍ତି କେହି ଜଣେ ଲୋକ ବୋମା ପୂର୍ବ ଯୋଜନା ଅନୁସାରେ ଖଞ୍ଜି ରଖିଥିଲା । ବୋମା ବିସ୍ଫୋରଣ ହେବା ମାତ୍ରେ ଚାରିଆଡେ ଅନ୍ଧାର ହୋଇଯାଇଥିଲା ।