ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ

ମଥୁରା,ଏଜେନ୍ସି: ଉତ୍ତର ପ୍ରଦେଶର ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ ୱେରେ ପୁଣି ଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଏକ ଇନୋଭା କାରକୁ ଧକ୍କା ଦେଇଥିଲା। କାରରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ନୋଏଡା ଅଭିମୁଖେ ଯାଉଥିବା ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପ୍ରଥମେ ପିଟି ହୋଇଥିଲା। ଏହା ପରେ ରାସ୍ତାର ଅପର ପାର୍ଶ୍ୱରେ ଯାଉଥିବା ଏକ ଇନୋଭା କାରକୁ ଧକ୍କା ଦେଇଥିଲା। ଫଳରେ ଇନୋଭାଟି ଓଲଟିପଡ଼ିଥିଲା। ଇନୋଭାରେ ଥିବା ଲୋକମାନେ ନୋଏଡାକୁ ଯାଉଥିଲା। ଏହି ଦୁର୍ଘଟଣାରେ ଜିନ୍ଦର ସଫିଦୋ ନିବାସୀ ମନୋଜ, ବବିତା, ଅଭୟ, ହେମନ୍ତ, କଲ୍ଲୁ, ହିମାଦ୍ରୀ ଓ ଚାଳକ ରାକେଶଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା ପରେ ପୁଲିସ ଓ ଏକ୍ସପ୍ରେସ ୱେ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ମଥୁରା-ଆଲିଗଡ଼ ସୀମାରେ ନୌହଛିଲ ଥାନା ଅଞ୍ଚଳରେ ମାଇଲ ଷ୍ଟୋନ ୬୮ ନିକଟରେ ଘଟିଛି। ମୃତକମାନେ ହରିୟାଣାର ନିବାସୀ ବୋଲି ଜଣାପଡ଼ିଛି।