ଟିକା ନ ନେଲେ ରଦ୍ଦ ହେବ ସମସ୍ତ ସୁବିଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ରଦ୍ଦ ହେବ ସମସ୍ତ ସୁବିଧା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି କରିଛନ୍ତି। ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା ସତ୍ତ୍ୱେ କିଛି ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ସେବା କର୍ମୀ ଓ ଅନ୍ୟ ଆଗଧାଡ଼ିର ଯୋଦ୍ଧା ମାନେ ଟିକା ନେବାକୁ ପଞ୍ଜୀକରଣ କରି ସୁଦ୍ଧା ଟିକା ନେଉନଥିବା ଦେଖାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇ ସବୁ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ତାଗିଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯଦି ସେଭଳି କୌଣସି ବିଶେଷ କାରଣ ତଥା ପରିସ୍ଥିତି ବିନା ସମ୍ପୃକ୍ତ ବ୍ୟକ୍ତି ଟିକା ନେବାକୁ ମନା କରି ପରେ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ଆଉ କୌଣସି ସରକାରୀ ସୁବିଧା ମିଳିବ ନାହିଁ। ମାଗଣା ଚିକିତ୍ସା, ଚିକିତ୍ସା ଅବଧିକୁ ଡ୍ୟୁଟି ଭାବରେ ଗଣତି ସୁବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିବ ନାହିଁ।