ହଜିଗଲା ମାନବିକତା: ଧାର ଟଙ୍କା ସୁଝି ନପାରିବାରୁ ୪୮ ଘଣ୍ଟା ଧରି ପଡ଼ିରହିଲା ଶବ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗାଁ ସମାଜ ପାଣ୍ଠିରୁ ୧୯ ବର୍ଷ ପୂର୍ବେ ୪୦୦ ଟଙ୍କା ଧାର ନେଇ ସୁଝି ନପାରିବାରୁ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିର ମୃତଦେହକୁ ଛୁଁ ନାହାନ୍ତି ସମାଜ ଲୋକେ। ଫଳରେ ଗତ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ହେବ ପଡ଼ିରହିଛି ଶବ।

ଘରେ ଘର ମୁଖିଆଙ୍କ ଶବ ପଡ଼ିଥିବା ବେଳେ ମୃତ ଦେହ ଛାଡି ବିଧବା ସ୍ତ୍ରୀ ଟଙ୍କା ଯୋଗାଡ଼ରେ ଏଣେ ତେଣେ ଧାଇଁ ବୁଲୁଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ବିଜୟ ନଗର ପଣସକୁଦର ଗ୍ରାମର ସୋମା ହେମ୍ବ୍ରମ ୧୯ ବର୍ଷ ପୂର୍ବେ ଗାଁ ସମାଜ ପାଣ୍ଠିରୁ ୪୦୦ ଟଙ୍କା ଧାର ନେଇଥିଲେ। କିନ୍ତୁ ସେ ଏହି ଟଙ୍କା ପରିଶୋଧ କରି ପାରି ନଥିବା ବେଳେ ଗତ ସୋମବାର ରାତ୍ରିରେ ତାଙ୍କ କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପରେ ପରିବାର ଲୋକ ଶବ ସଂସ୍କାର ପାଇଁ ଜାତି ସମାଜକୁ ଅନୁରୋଧ କରିବାରୁ ଟଙ୍କା ପରିଶୋଧ କରି ନଥିବାରୁ ସୁଧ ମୁଳ ସହ ୧୨ ହଜାର ଓ ଜୋରିମାନା ୨୫ ହଜାର ଟଙ୍କା ପୈଠ ନ କରିବାଯାଏ ଶବ ସଂସ୍କାର ପାଇଁ ଯିବେ ନାହିଁ ବୋଲି ସମାଜ ସଭାପତି ଦନେଶ୍ୱର ଡ଼ଙ୍ଗୀ ଫତୁଆ ଜାରି କରିବାରୁ ଜାତି ସମାଜର କେହି ଆସିନଥିଲେ। ଫଳରେ ଗତ ସୋମବାର ଠାରୁ ଆଜି ଯାଏଁ ଘରେ ମୃତ ଦେହ ପଡି ରହିଥିଲା।

ଆଜି ମୃତ ସୋମାଙ୍କ ସ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ନିଜ ଚାଷ ଜମିକୁ ଗାଁର ମନୋଜ କୁମାର ନାମକ ବ୍ୟକ୍ତିକୁ ମାତ୍ର ୩୫ ହଜାର ଟଙ୍କାରେ ବାଧ୍ୟ ହୋଇ ବିକ୍ରିକରି ସ୍ୱାମୀଙ୍କ କରଜ ସମାଜ ନିକଟରେ ସୁଝିବା ପରେ ମୃତ୍ୟୁର ତିନିଦିନ ପରେ ମୃତଦେହ ସଂସ୍କାର କରିଥିବା ଜଣାପଡିଛି।