ଦିବାରାତ୍ର ଟେଷ୍ଟ୍‌: ୩୦୩/୯ରେ ଭାରତର ପାଳି ଘୋଷଣା, ଶ୍ରୀଲଙ୍କାକୁ ୪୪୭ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଦିବାରାତ୍ର ଟେଷ୍ଟ୍‌ରେ ଘରୋଇ ଭାରତ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୪୪୭ ରନ୍‌ର ବଡ଼ ଟାର୍ଗେଟ୍ ଦେଇଛି। ପ୍ରଥମ ଦିନରେ ଭାରତ ୨୮୪ ରନ୍ କରିବା ପରେ ଭ୍ରମଣକାରୀ ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦଳୀୟ ସ୍କୋର୍ ୮୬ ମଧ୍ୟରେ ପ୍ୟାଭିଲିୟନ୍ ଫେରାଇ ଦେଇପାରିଥିଲା। ଦ୍ୱିତୀୟ ଦିନରେ ରବିବାର ଶ୍ରୀଲଙ୍କାର ପ୍ରଥମ ଇନିଂସ ୧୦୯ ରନ୍‌ରେ ସୀମିତ ରହିବା ଫଳରେ ଭାରତକୁ ୧୭୫ ରନ୍‌ର ଅଗ୍ରଣୀ ମିଳିଥିଲା। ଘରୋଇ ଦଳ ତା’ର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ୍ ଓ ଶ୍ରେୟସ୍ ଆୟରଙ୍କ ଅର୍ଦ୍ଧଶତକ ମାଧ୍ୟମରେ ୯ ୱିକେଟ୍ ହରାଇ ୩୦୩ ରନ୍ କରି ଇନିଂସ ଘୋଷଣା କରିଥିଲା।

ଫଳସ୍ୱରୂପ ଶ୍ରୀଲଙ୍କାକୁ ୪୪୭ ରନ୍‌ର ଟାର୍ଗେଟ୍ ମିଳିଥିବା ବେଳେ ଏହାର ପିଛା କରି ଭ୍ରମଣକାରୀ ଦଳ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ୍‌ରେ ୨୮ ରନ୍ କରିଛି। ଓପନର ଲାହିରୁ ଥିରିମାନେ ଖାତା ଖୋଲିବା ପୂର୍ବରୁ ଜସପ୍ରୀତ୍ ବୁମରାଙ୍କ ଶିକାର ହୋଇଥିବା ବେଳେ ତାଙ୍କ ଯୋଡ଼ିଦାର ତଥା ଅଧିନାୟକ ଦିମୁଥ୍ କରୁଣାରତ୍ନେ ୨ଟି ଚୌକା ସହ ୧୦ ଏବଂ କୁସାଲ୍ ମେଣ୍ଡିସ୍ ୩ଟି ଚୌକା ସହାୟତାରେ ୧୬ ରନ୍ କରି ଅପରାଜିତ ଅଛନ୍ତି। ମ୍ୟାଚ୍‌ରେ ଏବେ ବି ଆହୁରି ୩ ଦିନ ବାକି ଥିବାରୁ ଏହାର ଫାଇସଲା ନିଶ୍ଚିତ। ତେବେ ଅଦ୍ୟାବଧି ଭାରତର ପଲା ଭାରି ଥିବାରୁ ଟି-୨୦ ସିରିଜ୍ ପରି ଟେଷ୍ଟ୍ ସିରିଜ୍‌କୁ ମଧ୍ୟ ଭାରତ କ୍ଲି୍‌ନ୍‌ସୁଇପ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ବି ବୁମରା ତାଙ୍କର ଘାତକ ବୋଲିଂ ଜାରି ରଖିଥିଲେ। ପ୍ରଥମ ଦିନରେ ୩ଟି ୱିକେଟ୍ ନେଇଥିବା ଏହି ଡାହାଣହାତୀ ପେସର୍ ଜଣକ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଲାସିଥ୍ ଏମ୍ବୁଲଦେନିୟା ଓ ନିରୋଶନ୍ ଡିକୱେଲାଙ୍କୁ ଆଉଟ୍ କରି ଅଷ୍ଟମ ଥର ପାଇଁ ୫ ୱିକେଟ୍‌ର ସଫଳତା ଅର୍ଜନ କରିଥିଲେ। ଡିକୱେଲା ୩ଟି ଚୌକା ସହ ୨୧ ରନ୍ କରିଥିବା ବେଳେ ଏମ୍ବୁଲଦେନିୟା ମାତ୍ର ୧ ରନ୍ କରିପାରିଥିଲେ। ପରେ ସୁରଙ୍ଗା ଲକମଲ୍ ୫ ଓ ବିଶ୍ୱା ଫର୍ଣ୍ଣାଣ୍ଡୋ ୮ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ରବୀଣ ଜୟବିକ୍ରମା ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ବୁମରାଙ୍କ ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ମହମ୍ମଦ ଶମି ୨ଟିଲେଖାଏଁ ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତର ଦ୍ୱିତୀୟ ଇନିଂସରେ ଓପନର ମୟଙ୍କ ଅଗରୱାଲ୍ ୫ ଚୌକା ସହ ୨୨ ରନ୍ କରି ଆଉଟ୍ ହେବା ପରେ ତାଙ୍କ ଯୋଡ଼ିଦାର ରୋହିତ ଶର୍ମା ୪ଟି ଚୌକା ମାଧ୍ୟମରେ ୪୬ ରନ୍ କରିଥିଲେ। ଏହାଛଡ଼ା ହନୁମା ବିହାରୀ ଓ ବିରାଟ କୋହଲି ଯଥାକ୍ରମେ ୩୫ ଓ ୧୩ ରନ୍‌ର ଅବଦାନ ଦେଇଥିଲେ। ତେବେ ମାତ୍ର ୩୧ଟି ବଲ୍‌ରେ ୫୦ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିବା ପନ୍ତଙ୍କ ବ୍ୟାଟିଂ ବେଶ୍ ଆମୋଦପ୍ରଦ ଥିଲା। ସେ ୭ଟି ଚୌକା ଓ ୨ଟି ଛକା ଜରିଆରେ ଏହି ରନ୍ କରିଥିଲେ। ଏହାଛଡ଼ା ପ୍ରଥମ ଇନିଂସ ପରି ଶ୍ରେୟସ୍ ମଧ୍ୟ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ କରିଥିଲେ। ତାଙ୍କ ୬୭ ରନ୍‌ର ଏହି ଇନିଂସରେ ୯ଟି ଚୌକା ରହିଥିଲା। ଆହୁରି ରବୀନ୍ଦ୍ର ଜାଡେଜା ୩ଟି ଚୌକା ସହ ୨୨, ଅଶ୍ୱିନ୍ ଗୋଟିଏ ଚୌକା ସହ ୧୩, ଅକ୍ଷର ଗୋଟିଏ ଚୌକା ସହ ୯ ଏବଂ ମହମ୍ମଦ ଶମି ୨ଟି ଚୌକା ଓ ଗୋଟିଏ ଛକା ସହ ୧୬ ରନ୍ କରି ଅପରାଜିତ ଥିଲେ। ଅକ୍ଷରଙ୍କ ୱିକେଟ୍‌ର ପତନ ଘଟିବା କ୍ଷଣି ଅଧିନାୟକ ରୋହିତ ଇନିଂସ ଘୋଷଣା କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଜୟବିକ୍ରମା ସର୍ବାଧିକ ୪ଟି ଓ ଏମ୍ବୁଲଦେନିୟା ୩ଟି ୱିକେଟ୍ ନେଇଥିଲେ।