ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ବଡ଼ ଫଇସଲା ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଏବେ ପୈତୃକ ସମ୍ପତ୍ତିରେ ଝିଅଙ୍କୁ ବି ସମାନ ଅଧିକାର ମିଳିବ। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ବେଞ୍ଚ ରାୟ ଶୁଣାଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି କି, ‘ଝିଅ ସବୁବେଳେ ଝିଅ ରହିଥାଏ। ପୁଅ ତ କେବଳ ବିବାହ ପର୍ଯ୍ୟନ୍ତ ପୁଅ ହୋଇ ରୁହେ।’
କୋର୍ଟଙ୍କ କହିବାନୁସାରେ, ଉତ୍ତରାଧିକାରୀ ଆଇନ ୨୦୦୫ ମସିହାର ସଂଶୋଧନର ବ୍ୟାଖ୍ୟା। ଏହି ସଂଶୋଧନ ପୂର୍ବରୁ ବି ଆଇନ କହୁଥିଲା ଯେ, ପିତାଙ୍କ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ଝିଅକୁ ସମ୍ପତ୍ତିର ସମାନ ଅଧିକାର ମିଳିବ।
ସୂଚନାଯୋଗ୍ୟ, ୨୦୦୫ ମସିହା ପୂର୍ବରୁ ଯଦି ଜଣେ ଝିଅ କିମ୍ବା ମହିଳାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବ ତେବେ ସେଭଳି ସ୍ଥିତିରେ କ’ଣ କରାଯିବ ସେନେଇ ସ୍ପଷ୍ଟ ହୋଇନଥିଲା। କିନ୍ତୁ ସୁପ୍ରମିକୋର୍ଟ ଆଜି ରାୟ ଶୁଣାଇବା ପରେ ଏହି ଫଇସଲାକୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି। ଏହି ରାୟ ସହ ବିବାହର କୌଣସି ସମ୍ପର୍କ ନଥିବା ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।