ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ପୁତୁରା ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଜମିଜମା ଭାଗବଣ୍ଟାକୁ କେନ୍ଦ୍ର କରି କୁଣ୍ଢେଈଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଲ ଗ୍ରାମରେ ବର୍ବର ହତ୍ୟାକାଣ୍ଡ। ଜଣେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତାଙ୍କ ବୋହୂଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ତୁଙ୍ଗାମାଲ ଗ୍ରାମର ଜଗବନ୍ଧୁ ସାହୁ ଓ ହାଡିବନ୍ଧୁ ସାହୁଙ୍କ ମଧ୍ୟରେ ପୈତୃକ ଜମିଜମା ଭାଗବଣ୍ଟାକୁ ନେଇ ବିବାଦ ଲାଗିରହିଥିଲା। ଏହି କ୍ରମରେ ଗତକାଲି ରାତ୍ରିରେ ଉକ୍ତ ଘଟଣାକୁ କେନ୍ଦ୍ର କରି ପୁଣି ଥରେ ବିବାଦ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହାଡିବନ୍ଧୁ ଏକ ଟାଙ୍ଗିଆ ସାହାଯ୍ୟରେ ଭାଉଜ ଗୋଲାପ ସାହୁ (୬୧)ଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ଗୋଲାପଙ୍କ ପୁଅ ସନ୍ତୋଷ ସାହୁ (୩୫) ମା’ଙ୍କୁ ରକ୍ଷା କରିବା ପାଇଁ ଆସିବା ବେଳେ ହାଡିବନ୍ଧୁ ସନ୍ତୋଷଙ୍କୁ ମଧ୍ୟ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପାଖ ପଡୋଶୀ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲେ।

ବାଟରେ ଗୋଲାପଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏନେଇ ସନ୍ତୋଷଙ୍କ ସ୍ତ୍ରୀ ତଥା ମୃତାଙ୍କ ବୋହୂ ବୀନତି ସାହୁ ଆଜି କୁଣ୍ଡେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭାରପ୍ରାପ୍ତ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଭିଯୁକ୍ତ ହାଡିବନ୍ଧୁଙ୍କୁ ଗିରଫ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି।