ଏସାର ପେଟ୍ରୋଲ ଟାଙ୍କିରେ ଗ୍ରାହକ ଠକାମୀର ଶିକାର, ଟାଙ୍କିରେ ମାପ ଓ ଓଜନ ବିଭାଗର ଚଢ଼ଉ ଜାରି

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ିରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକମାନେ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଗତକାଲି ସନ୍ଧ୍ୟାରେ ରାଜ୍ୟ ମାପ ଓ ଓଜନ ବିଭାଗ ତରଫରୁ ଜିଲ୍ଲା ମାପ ଓ ଓଜନ ବିଭାଗ ଇନ୍ସପେକ୍ଟର ସାଗରିକା ସାବତ ଏସାର ଟାଙ୍କିରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ମାପରେ ଅସମାନତା ଦେଖିବାକୁ ମିଳିଥିଲା। ଫଳରେ ଏସାର କମ୍ପାନୀ ଟାଙ୍କିକୁ ବିଭାଗ ତରଫରୁ ସିଲ୍ କରିଦିଆଯାଇଛି। ୧ ଲିଟର ତେଲରେ ପାଖାପାଖି ୨ଶହ ମିଲିଗ୍ରାମ ତେଲ କମ ଆସୁଥିବା ଜଣାପଡ଼ିଥିଲା। । ଆଜି ସକାଳୁ ଏହି ଖବର ପ୍ରଘଟ ହେବାପରେ କମ୍ପାନୀ କର୍ତ୍ତୃପକ୍ଷ ଓ ଟାଙ୍କି ମାଲିକ ନିଜର ଦୋଷ ଲୁଚାଇବାକୁ ଯାଇ ଟାଙ୍କିରେ ବିଦ୍ୟୁତ ସମସ୍ୟା ଥିବାରୁ ଟାଙ୍କି ବନ୍ଦଥିବା କହିଥିଲେ। ଏହାପରେ ଆଜି ଅପରାହ୍ଣରେ ଏସାର କମ୍ପାନୀର ସେଲ୍ସ ମ୍ୟାନେଜର ସହିତ ଜିଲ୍ଲା ମାପ ଓ ଓଜନ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଆଜି ପୁନର୍ବାର ମାପ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଟାଙ୍କିରେ ଥିବା ୬ଟି ନୋଜଲ ମଧ୍ୟରୁ ୪ଟିରେ ତ୍ରୁଟି ଥିବାଜଣା ପଡ଼ିଥିବାବେଳେ ୨ଟି ଡିଜେଲ ନୋଜଲରେ ଠିକ ପରିମାଣର ତେଲ ଆସୁଥିବା ସହକାରୀ ନିୟନ୍ତ୍ରକ ଶ୍ରୀ ବିଶ୍ୱାଳ ପ୍ରକାଶ କହିଥିଲେ। କିନ୍ତୁ ସେହି ୪ଟି ନୋଜଲରେ କେତେ ପରିମାଣର ତେଲ କମ ଆସୁଛି ସେନେଇ କିଛି କହି ନଥିଲେ।

ଅନ୍ୟପକ୍ଷରେ ଟାଙ୍କି ଆରମ୍ଭ ହେବା ଦିନଠାରୁ ଟାଙ୍କିରେ ଗ୍ରାହକମାନଙ୍କୁ ତେଲ ମାପରେ ଠକେଇ ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଟାଙ୍କି ମାଲିକ ଏହାକୁ କର୍ଣ୍ଣପାତ କରୁନଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ରଫାଦଫା କରିବା ପାଇଁ ମସୁଧା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏନେଇ ବିଭାଗୀୟ ଜିଲ୍ଲା ଇନ୍ସପେକ୍ଟର ସାଗରିକା ସାବତଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ କହି ଫୋନ କାଟି ଦେଇଥିଲେ।