ଆରସିବିର ଡାନିଏଲ୍ ସାମ୍ସଙ୍କୁ କରୋନା

ଚେନ୍ନାଇ,ଏଜେନ୍ସି: ଦୁଇ ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଉ ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆରସିବି ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ୍ ସାମ୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ସାମ୍ସଙ୍କ ଦ୍ୱିତୀୟ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆରସିବି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆରସିବିର ଦ୍ୱିତୀୟ ଖେଳାଳି ଭାବରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସାମ୍ସ। ସାମ୍ସଙ୍କ ପୂର୍ବରୁ ଦେବଦତ୍ତ ପାଡିକଲ୍ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କର ରିପୋର୍ଟ ବର୍ତ୍ତମାନ ନେଗେଟିଭ୍ ଆସିଛି। ୨୮ ବର୍ଷୀୟ ସାମ୍ସ ଏପ୍ରିଲ୍ ୩ ତାରିଖରେ ଭାରତରେ ପହଞ୍ଚିଥିଲେ। ପହଞ୍ଚିବା ସମୟରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ସାମ୍ସ ଲକ୍ଷଣ ବୀହିନ ରହିଥିବା ବେଳେ ଆରସିବିର ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଜଣାପଡିଛି। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଏବଂ ମଙ୍ଗଳବାର ଦିନ ମୁମ୍ବାଇ ଇଣ୍ଡିଆନ୍ସର ୱିକେଟ୍ କିପିଂ ପରାମର୍ଶଦାତା କିରଣ ମୋରେ କରୋନାରେ ଆକ୍ରାନ୍ତ ହୋଇଥିଲେ।