ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ। ଏହି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ୨ ଲକ୍ଷରୁ ଅଧିକ ଲୋକେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଉଛନ୍ତି। ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ମନରେଗା ଯୋଜନାରେ କାର୍ଯ୍ୟକାରୀ କରିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନଶ୍ଚିନ୍ତ ଯୋଜନା ତଥା ମନରେଗାରେ ଶ୍ରମିକଙ୍କୁ ମିଳୁନି କାମ। ମେସିନ୍ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଶ୍ରମିକ କାମ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କେତକ କ୍ଷେତ୍ରରେ ମନରେଗାରେ ଶ୍ରମିକଙ୍କୁ ଜବ୍ କାର୍ଡ ଦିଆନଯାଇ ଦିନ ମଜୁରିଆ ଭାବେ ପାରିଶ୍ରମିକ ଦିଆଯାଉଛି। ଏପରିକି ଜବ୍ କାର୍ଡ ପାଇଁ ଶ୍ରମିକଙ୍କ ଠାରୁ ସରକାରୀ ଅଧିକାରୀମାନେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନା ବାବଦକୁ ଜିଲ୍ଲାରେ ପ୍ରତିବର୍ଷ ୩୫୦ କୋଟି ଟଙ୍କାରୁ ଅଧିକ ଅନୁଦାନ ଆସୁଛି। ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ଚଞ୍ଚକତା ଯୋଗୁଁ ଶ୍ରମିକମାନେ କାମ ନପାଇ ପୂର୍ବଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।
ବଲାଙ୍ଗିର ଜିଲ୍ଲା ୧୪ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକକୁ ଅତ୍ୟଧିକ ଦାଦନ ପ୍ରବଣ ଅଞ୍ଚଳ ଭାବ ଚିହ୍ନଟ କରାଯାଇଛି। ତଥାପି ଏହି ଯୋଜନା ସମସ୍ୟାର ସମାଧାନ କରି ପାରୁନାହିଁ ଜିଲ୍ଲା ପ୍ରଶାସନ। ଜିଲ୍ଲା ଡିଆରଡିଏର ମନରେଗା ସେଲରୁ ମିଳିଥିବା ରିପୋର୍ଟ ତଥ୍ୟ ରୁ ଗତ ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାକୁ ମନରେଗା ଯୋଜନାରେ ପ୍ରଚୁର ଅର୍ଥ ମିଳିଛି। ଗତ ୩ ବର୍ଷ ତଥ୍ୟରୁ ଜଣାପଡିଛି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାରେ ୧୪୯.୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୦-୨୧ ଆଥିର୍କ ବର୍ଷରେ ସର୍ବାଧିକ ୩୭୬.୨୫ କୋଟି, ୨୦୨୧-୨୨ରେ ୩୪୫ କୋଟି ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ୨୦୨୨-୨୩ ଆଥିର୍କ ବର୍ଷ ପ୍ରଥମ ମାସରେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ବଲାଙ୍ଗିର ଜିଲ୍ଲାରେ ୩,୫୭,୮୮୮ ପରିବାରର ୭,୫୮,୪୩୫ଜଣ ଶ୍ରମିକ ମନରେଗା ଯୋଜନାରେ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୨,୦୩,୧୭୨ଟି ପରିବାର ଜବ କାର୍ଡ ପାଇଛନ୍ତି।
ତେବେ ଏଭଳି ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଲୋକେ ଦାଦନ ଖଟିବା ପାଇଁ କିଭଳି ଯାଉଥିବା ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି। ଅନ୍ୟପଟେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର କିଛି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହେଉ ଥିବାର ଘଟଣାସାମ୍ନାକୁ ଆସିଛି । କିଛି ସରପଞ୍ଚ ଓ ଜିଆରଏସ ମାନେ ମିଳିମିଶି ମେସିନ ସାହାଯ୍ୟ ରେ କାମ କରୁଥିବା ବେଳେ ବ୍ଳକ ର ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ ଦାଦନ ଶ୍ରମିକ ରୋକିବା ପାଇଁ ଚେଷ୍ଟା କରି ଧୂନକେଡା ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରିଥିବା ବେଳେ ଶ୍ରମିକ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଦାଦନ ଶ୍ରମିକଙ୍କୁ ରୋକିବା ପାଇଁ ବିଫଳ ହେଉଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସାହୁ ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରି ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ଲକର କିଛି ଜିଆର୍ଏସ୍ମାନେ ପ୍ରତ୍ୟେକ ବର୍ଷ ମେସିନ ସାହାଯ୍ୟରେ କାମ କରି କୋଟି ପତି ହୋଇଥିବା ଆଲୋଚନା ହେଉଛି। ବ୍ଲକ କିଛି ଜିଆରଏସ ମାଲେମାଲ ହେଉଥିବା ବେଳେ ଜବ କାର୍ଡ଼ ଗୁଡ଼ିକ ନିଜ ପାଖରେ ରଖି ଶ୍ରମିକମାନେ କାମ କରୁଥିବା ଦର୍ଶାଇ ଟଙ୍କା ମଧ୍ୟ ଉଠାଇଛନ୍ତି। ଦୀର୍ଘ ୮ ମାସ ହେବ ଏହି ବ୍ଲକର ଜିଆରଏସ ମାନେ ଦରମା ପାଇଁନଥିବା ଜଣାପଡିଛି। ଫଳରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ସାମିଲ ନକରି ନିଜେ ମେସିନ ସାହାଯ୍ୟ କାମ କରୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।