ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ସଇଁନ୍ତଲା,୧୭ା୭/ଏନ୍‌ଏନ୍‌ଏସ୍ : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବିବିନା ମଦଭାଟିରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣଙ୍କୁ ସଇଁନ୍ତଲା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଇଁନ୍ତଲା ଥାନା ଡେଙ୍ଗ ପଞ୍ଚାୟତ ଲକ୍ଷ୍ମୀପାଲି ଗ୍ରାମର ଦୁର୍ବାଦଳ ଭୋଇ (୨୧), ରାଜା ଭୋଇ(୨୨), ଲୋକନାଥ ଭୋଇ (୨୧), ମନୋରଞ୍ଜନ ବାଗ (୨୩), ସୁକାନ୍ତ ମିଶ୍ର (୨୫) ଓ ଅନ୍ୟଜଣେ ନାବାଳକ । ଏନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଗତ ୧୪ ତାରିଖ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ସଇଁନ୍ତଲା ଥାନାଧିକାରୀ ଅବନି ସାହୁଙ୍କ ନେତୃତ୍ୱରେ ରେଲୱେ ଷ୍ଟେସନ ଅଞ୍ଚଳର ଏକ ପଡ଼ିଆରେ ପୁଲିସ ଚଢ଼ଉ କରିଥିଲା । ଏହି ସମୟରେ ୬ଜଣ ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ପୁଲିସ ଗାଡ଼ି ଦେଖି ଫେରାର ମାରିବାକୁ ଚେଷ୍ଟା କରିଥିଲେ । ପୁଲିସ ସନ୍ଦେହ କରି ଉକ୍ତ ଯୁବକଙ୍କୁ ଦୌଡ଼ାଇ ଦୌଡ଼ାଇ ଧରି ଥାନାକୁ ଆଣିବା ପରେ ମଦଭାଟିରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା । ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ ଏସି, ବ୍ୟାଟ୍ରିକ, ଇନଭେଟର, ବେଣ୍ଡ ବାଜା ସାମଗ୍ରୀ ଯଥା ଢୋଲ, ୨ଟି ନିଶାନ, ଗୋଟିଏ ତାଶା ଓ ଅନ୍ୟାନ ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଗୋଟିଏ ପିସ୍ତଲ , ୨ଟି ଚାକୁ , ଗୋଟିଏ କତୁରୀ ଓ ୨ଟି ବାଇକ ଜବତ ହୋଇଛି ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।