ଭୟଙ୍କର ଘୂର୍ଣ୍ଣିଝଡର ରୂପ ନେଲା ‘ନିଭାର’ : ତାମିଲନାଡୁରେ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ଚେନ୍ନାଇ,ଏଜେନ୍ସି: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବାତ୍ୟା ‘ନିଭାର’ ଭୟଙ୍କର ଘୂର୍ଣ୍ଣିଝଡରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୬ କିଲୋମିଟର ବେଗରେ ଗତି କରୁଛି। ଏହା ବୁଧବାର ରାତି ୨ଟାରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟବର୍ତ୍ତୀ କାରାଇକାଲ ଓ ମାମାଲାପୁରମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୧୩ଟି ଜିଲ୍ଲାରେ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ତେବେ ସମସ୍ତ ଜରୁରୀ ସେବା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପୁଡୁଚେରୀ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଶନିବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି।

‘ନିଭାର’ ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ବୁଧବାର ସଂଧ୍ୟା ୭ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଚେନ୍ନାଇ ଏୟାରପୋର୍ଟ ବନ୍ଦ ରଖାଯାଇଛି। ଏହାପୂର୍ବରୁ ୨୬ଟି ବିମାନର ଚଳାଚଳ ବାତିଲ କରାଯାଇଥିଲା। ଚେନ୍ନାଇର କେତେକ ଅଞ୍ଚଳରେ ବିଜୁଳି କାଟ୍ ହୋଇଛି। ରେଳ ଓ ବସ୍ ସେବା କେତେକ ସ୍ଥାନରେ ବାତିଲ କରାଯାଇଛି। ତଟରକ୍ଷୀ ବାହିନୀର ଦୁଇଟି ଜାହାଜକୁ ଉପକୂଳରେ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦୁଇଟି ଡୋର୍ଣ୍ଣିୟର ବିମାନକୁ ବିଶାଖାପାଟନମ୍ ପଠାଯାଇଛି। ତାମିଲନାଡୁ ଓ ପୁଡୁଚେରୀରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୫ଟି ଦଳକୁ ପ୍ରସ୍ତୁତ ରଖାଯାଇଛି। ଭାରତୀୟ ନୌସେନାର ୫ଟି ଟିମ୍ଙ୍କୁ ଚେନ୍ନାଇ ପଠାଯାଇଛି। ନାଗାପଟିନମ୍ ଓ ରାମେଶ୍ୱର ଠାରେ ଏହି ଟିମ୍କୁ ମହଜୁଦ ରଖାଯାଇଛି। ଗତ ମଙ୍ଗଳବାର ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଲାଗିରହିଛି। ଏହାଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ କରୁଣାନିଧିଙ୍କ ଘରେ ପାଣି ପଶିଯାଇଛି।