ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡସ, ଭୀଷଣ ବର୍ଷା ଜାରି

ଚେନ୍ନାଇ,ଏଜେନ୍ସି: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମାଣ୍ଡସ ତାମିଲନାଡୁରେ ଲ୍ୟାଣ୍ଡଫଲ କରିଛି । ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୩୦ରେ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମହାବଳିପୁରମରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ଆଜି ମଧ୍ୟାହ୍ନ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଧିରେଧିରେ ବାତ୍ୟା ଦୁର୍ବଳ ହେବ। ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହୁଛି । ଏହା ପ୍ରଭାବରେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ମାଣ୍ଡସ ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାମଲ୍ଲାପୁରମରୁ ପ୍ରାୟ ୧୫ କିମି ଦୂରରେ ଦକ୍ଷିଣ-ପୂର୍ବରେ ମାଣ୍ଡସ କେନ୍ଦ୍ରୀଭୂତ ହୋଇଥିଲା । ବାତ୍ୟା ପ୍ରଭାବରେ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହେବା ସହ ପଟିନ୍ନାମ୍ପକ୍କମରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ଆଗାମୀ ତିନି ଘଣ୍ଟା ମଧ୍ୟରେ ରାନୀପେଟାଇ, ଭେଲ୍ଲୋର, ଭିଲୁପୁରମ, ତିରୁଭାନ୍ନାମଲାଇ, ସଲେମ, ତାମିଲନାଡୁର ଥିରୁପଟୁର ଏବଂ ପୁଡୁଚେରୀରରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି,” ବାତ୍ୟା ମାଣ୍ଡସକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।” ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ଶନିବାର ମଧ୍ୟରାତ୍ରି କିମ୍ବା ସକାଳେ ବାତ୍ୟା ମାଣ୍ଡସ ପୁଡୁଚେରୀ ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ପବନର ବେଗ ୮୫ କିମି ପର୍ଯ୍ୟନ୍ତ ରହିବ । ତେଣୁ ତିନି ରାଜ୍ୟ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶକୁ ରେଡ ଆଲର୍ଟ ଜାରି କରାଯାଇଛି ।