ସହଜ ହେବ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ: ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ CSଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,ଏନ୍‌ଏନ୍ଏସ୍: କଟକ ଓ ଭୁବନେଶ୍ୱରରେ ଭୂ-ସମ୍ପତ୍ତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ ଜମିର ଫ୍ରି-ହୋଲ୍ଡ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡଙ୍କୁ ବିକେନ୍ଦ୍ରୀକରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏହାହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲ୍ଡକୁ ପରିବର୍ତ୍ତନ ସେବା ପାଇ ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସିଏସ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ କୁହାଯାଇଛି ।

ବୈଠକରେ ଚନ୍ଦ୍ରମା ହାଇସିଂ କମ୍ପ୍ଲେକ୍ସରେ ଘର ପାଇଥିବା ଲୋକଙ୍କ ସହ ଚୁକ୍ତିପତ୍ର ବିଷୟ ସମ୍ବନ୍ଧିତ ସମସ୍ୟାର ସବିଶେଷ ଆଲୋଚନା ହୋଇଛି । ସମସ୍ୟାର ବିଭିନ୍ନ ଦିଗକୁ ବିଚାର କରି ମୁଖ୍ୟ ଶାସନ ସଚିବ ସେସବୁର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରିଛନ୍ତି । ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଡ଼ିଏକୁ ୩୭ଟି ହାଉସିଂ ସ୍କିମ୍ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡଙ୍କୁ ୪୪ଟି ହାଉସିଂ ସ୍କିମ୍ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ ଏକର ଜମି ଲିଜ୍ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଓ ଉନ୍ନୟନ ବିଭାଗ ମାଧ୍ୟମରେ ମଧ୍ୟ ସିଡ଼ିଏଙ୍କୁ ହାଉସିଂ ସ୍କିମ୍ ନିମନ୍ତେ ସରକାରୀ ଜମି ଲିଜ୍ ଦିଆଯାଇଛି । ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି କ୍ଷମତା ବିକେନ୍ଦ୍ରୀକରଣ ହେଲେ ବର୍ତ୍ତମାନ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ । ଏହାଛଡା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ସିଧାସଳଖ ଅଣବ୍ୟବସାୟିକ ଘରୋଇ ବାସଗୃହ ପାଇଁ ଜମି ଲିଜ୍ ନେଇଥିବା ଲୋକମାନଙ୍କ ପାଇଁ ମଧ୍ୟ ଫ୍ରି-ହୋଲ୍ଡ ବ୍ୟବସ୍ଥା ଚାଲୁ ରହିଛି । ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜଲବ୍ଧ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।