ରାଜ୍ୟଗୋଷ୍ଠୀ କ୍ରୀଡ଼ା: କୁସ୍ତିରେ ପଦକ ବର୍ଷା; ଭାରତକୁ ବଜରଂଗ-ସାକ୍ଷୀ-ଦୀପକ ଆଣିଲେ ସ୍ୱର୍ଣ୍ଣ, ରୌପ୍ୟ-କାଂସ୍ୟ ବି ଆସିଲା

ବର୍ମିଂହାମ୍‌,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତୀୟ କୁସ୍ତିଯୋଦ୍ଧା ଚମକିଛନ୍ତି । ବର୍ମିଂହାମରେ ଜାରିଥିବା ପ୍ରତିଯୋଗିତାର ୮ମ ଦିନରେ କୁସ୍ତିଯୋଦ୍ଧାମାନେ ଭାରତ ପାଇଁ ଗୌରବ ଆଣିଛନ୍ତି । ବଜରଂଗ ପୁନିଆ, ଦୀପକ ପୁନିଆ ଓ ସାକ୍ଷୀ ମଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅଂଶୁ ମଲିକ ରୌପ୍ୟ ପଦକ ଜିତିଥିବା ବେଳେ ଦିବ୍ୟା କାକରାନ ଓ ମୋହିତ ଗ୍ରେୱାଲ ଭାରତ ପାଇଁ କାଂସ୍ୟ ପଦକ ଆଣିଛନ୍ତି । କୁସ୍ତିରେ ମିଳିଥିବା ୬ଟି ପଦକ ବଳରେ ଭାରତର ମୋଟ ପଦକ ସଂଖ୍ୟା ଏବେ ୨୬ରେ ପହଞ୍ଚିଛି, ଯେଉଁଥିରେ କି ୯ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।

ଦୀପକ ପୁନିଆ କୁସ୍ତିରେ ଭାରତ ପାଇଁ ୩ୟ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୮୬କିଲୋ ଭାରବର୍ଗର ଫାଇନାଲ ମୁକାବିଲାରେ ଦୀପକ ଶୁକ୍ରବାର ପାକିସ୍ତାନୀ କୁସ୍ତିଯୋଦ୍ଧା ମହମ୍ମଦ ଇନାମଙ୍କୁ ୩-୦ରେ ପରାସ୍ତ କରିଛନ୍ତି ।

ସାକ୍ଷୀ ମଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମହିଳା ୬୨କିଲୋ ଭାରବର୍ଗର ଫାଇନାଲରେ କାନାଡର ଏନା ଗୋଡିନେଜ ଗୋଂଜାଲେଜଙ୍କୁ ବାଏ କଲ ମାଧ୍ୟମରେ ପରାସ୍ତ କରିଛନ୍ତି । ସାକ୍ଷୀ ମଲିକ ଏକଦା ୪-୦ରେ ପଛୁଆ ଥିଲା । କିନ୍ତୁ ସେ ବଳ କଷି କାନାଡାର ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ ।

ବଜରଂଗ ପୁନିଆ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ସେ ପୁରୁଷ ବର୍ଗର ଫ୍ରିଷ୍ଟାଇଲ ୬୫କିଲୋ ଭାରବର୍ଗରେ କାନାଡାର କେଏଲ୍ ମ୍ୟାକଲୀନଙ୍କୁ ୯-୨ରେ ପରାସ୍ତ କରିଛନ୍ତି । ପ୍ରଥମ ହାଫରେ ସେ ୪ ଅଙ୍କ ପାଇଥିଲେ । ଦ୍ୱିତୀୟ ହାଫରେ ମ୍ୟାକଲୀନଙ୍କୁ ୨ ପଏଣ୍ଟ ମିଳିଥିଲା । ପରେ ସେ ଆହୁରି ଉଦ୍ୟମ କରିଥିଲେ । କିନ୍ତୁ ବଜରଂଗ ସୁଯୋଗ ଦେଇ ନଥିଲେ ।