ବର୍ମିଂହାମ,ଏଜେନ୍ସି: ୨୨ ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଜାରି ରହିଛି । ପାରା ଶକ୍ତି ଉତ୍ତୋଳନରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ପୁରୁଷ ହେବିୱେଟ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ୧୩୪.୫ ପଏଣ୍ଟ ସ୍କୋର କରି ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଧୀର।
ନାଇଜେରିଆର ଆଇ.ସି ଓବିଚୁକୁ ୧୩୩.୬ ପଏଣ୍ଟ ସହ ରୌପ୍ୟ ଓ ସ୍କଟଲାଣ୍ଡର ମିକି ୟୁଲି ୧୩୦.୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ମହିଳା ଲାଇଟୱେଟରେ ମନପ୍ରୀତ କୌର ୮୯.୬ ପଏଣ୍ଟ ସହ ଚତୁର୍ଥ ଏବଂ ସକିନା ୮୭.୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଅନ୍ୟପଟେ ପୁରୁଷ ଲାଇଟୱେଟରେ ଭାରତର ପରମଜିତଙ୍କ 3ଟି ପ୍ରୟାସ ଫାଉଲ ହୋଇଛି ।
ସୁଧୀରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”କମନୱେଲଥ ଗେମ୍ସର ପାରା-ପାୱାରଲିଫ୍ଟରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ସୁଧୀରଙ୍କୁ ଅଭିନନ୍ଦନ । ଉତ୍ସାହଜନକ ପ୍ରଦର୍ଶନ ଏବଂ ଉତ୍ସର୍ଗ ଭାରତ ପାଇଁ ଆଉ ଏକ ପଦକ ଗୌରବ ଆଣିଦେଇଛି । ଆଗାମୀ ସଫଳତା ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।’’
ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସୁଧୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କ୍ରୀଡାମନ୍ତ୍ରୀ କହିଛନ୍ତି, ‘‘ରାଜ୍ୟଗୋଷ୍ଠୀରେ ସ୍ବର୍ଣ୍ଣ ଜିତିଥିବାରୁ ଶୁଭେଚ୍ଛା । ଏହା ତୁମ ପ୍ରଥମ ପଦକ । ହରିୟାଣାର ଆଉ ଜଣେ ଆଥଲେଟ ବିଶ୍ବ ଦରବାରରେ ଭାରତର ନାମ ରଖିଥିବା’’ କହିଛନ୍ତି କ୍ରୀଡାମନ୍ତ୍ରୀ ।
ପ୍ରକାଶ ଥାଉ କି, ଭାରତ ପାଖରେ ଏଯାବତ ୨୦ଟି ପଦକ ରହିଛି । ସେଥିରୁ ୬ ସ୍ବର୍ଣ୍ଣ, ୭ ରୌପ୍ୟ, ୭ କାଂସ୍ୟ ପଦକ ରହିଛି । ଆଗକୁ ଆହୁରି ପଦକ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି ।