କଟକରେ ସଟଡାଉନ ଅବଧି ଜୁଲାଇ ୧୦କୁ ବୃଦ୍ଧି

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ସଟ‌ଡାଉନ୍‌ କଟକଣାକୁ ବୃଦ୍ଧି କରାଯାଇଛି। ସଟ‌ଡାଉନ୍‌ ଅବଧି ବୁଧବାର ଅର୍ଥାତ୍‌ ଜୁଲାଇ ୮ ତାରିଖରେ ଶେଷ ହେଉଥିବା ବେଳେ ପୁଣି ଏହାକୁ ଜୁଲାଇ ୧୦ ତାରିଖ ଅର୍ଥାତ୍‌ ଶୁକ୍ରବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବପରି ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍‌ ରହୁଥିବାରୁ କଟକ ସହରରେ ସଟ‌ଡାଉନ୍‌ କଟକଣା ସୋମବାର ଅର୍ଥାତ୍‌ ୧୨ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ସଟ‌ଡାଉନ ସମୟରେ ପୂରା ସହରରେ ଘରକୁ ଘର ବୁଲି ବିଶୋଧନ କରାଯିବ ବୋଲି ସିଏମ‌ସି ପକ୍ଷରୁ ଘୋଷଣା କରାଯାଇଛି।

କରୋନା ସଂକ୍ରମଣ ସହରରେ ବ୍ୟାପିଚାଲିଥିବାରୁ ସିଏମସି ପକ୍ଷରୁ ପୂର୍ବରୁ ଜାରି ସମସ୍ତ ସଟଡାଉନ୍‌ କଟକଣା ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ ବୋଲି କମିସନର ଅନନ୍ୟା ଦାସ ଘୋଷଣା କରିଛନ୍ତି। ସିଏମସିର ବିଜ୍ଞପ୍ତି ଅନୁସାରେ ଶୁକ୍ରବାର ପର୍ଯ୍ୟନ୍ତ ଜାରି ସ୍ୱତନ୍ତ୍ର ସଟଡାଉନ୍‌ରେ ଅତ୍ୟାବଶ୍ୟକୀୟ ଦୋକାନ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବ। ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ସେହିପରି ଶନିବାର ଓ ରବିବାର ସାପ୍ତାହିକ ସଟ‌ଡାଉନରେ ଦୋକାନ ବଜାର ପୂର୍ବପରି ସଂପୂର୍ଣ୍ଣ ବନ୍ଦ ରହିବ। ସେହି ଦୃଷ୍ଟିରୁ ଦେକିବାକୁ ଗଲେ ସୋମବାର ପର୍ଯ୍ୟନ୍ତ ସହରବାସୀ ସଟଡାଉନ୍‌ କଟକଣା ଭିତରେ ରହିବେ।