ସଇଁନ୍ତଳା,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନଜୀବିକା ଠପ ହୋଇ ପଡ଼ିଥିଲା। ଫଳରେ ଲୋକେ ଦାଦନ ଖଟିବା ପାଇଁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଅନଲକ ଆରମ୍ଭ ହେଉଛି। ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଘୁନସର ଗ୍ରାମରେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘କାନ୍ଦୁଛେ ରାକ୍ଷୀ’ର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଦାଦନ ଶ୍ରମିକଙ୍କ ଉପରେ କି ପ୍ରଭାବ ପଡ଼ିଥିଲା ଓ କରୋନା ମହାମାରୀ ଭୟ ଯୋଗୁଁ କିଭଳି ଭାବରେ ଭାଇ ଚାରା ଭାଙ୍ଗି ଯାଇଥିଲା ତାହାକୁ ନେଇ ଏହି କ୍ଷୁଦ୍ର ଚଳ ଚିତ୍ର ନିର୍ମାଣ କରାଯାଇଛି।
ପ୍ରଥମେ ଗ୍ରାମର ଇଷ୍ଟ ଦେବୀ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସୁଟିଂ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଳକ ବିଜେଡି ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ ଯୋଗଦେଇ ଉଦଘାଟନ କରିଥିଲେ। ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବା ବେଳେ କାହାଣୀ ଓ ନିର୍ଦ୍ଦେଶକ ଭାବରେ ବୁଲୁ ବଗର୍ତ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ସ୍ୱାଗତ କୁମାର ନାଏକ, ପଲ୍ଲବୀ ପ୍ରିୟଦର୍ଶିନୀ ନାଗ, ସୁମନ ବେହେରା, ଉଦୟ ଶଙ୍କର ବାଗ, ବିଷ୍ଣୁ ଭୋଇ, ବସୁଦେବ ଭୋଇ, ଶୁଭେନ୍ଦୁ ନାୟକ, ରୋହିତ ଭୋଇ ପ୍ରମୁଖ ଅଭିନୟ କରୁଛନ୍ତି। କ୍ୟାମେରା ମ୍ୟାନ ଭାବରେ ରାମ ନାରାୟଣ ବାଗ, ପୃଥ୍ୱୀରାଜ ବକୁଳ, ଜଗତ ଦାସ ଦାୟିତ୍ୱ ତୁଲାଉଛନ୍ତି। ଉମା ରାଣୀ ତାଣ୍ଡି, ଦିନବନ୍ଧୁ ପସାୟତ, ପ୍ରକାଶ ସାହୁ, ଜିତୁ ସାହୁ, ଅରୁଣ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲରେ ଏହି ଚଳଚ୍ଚିତ୍ର ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।