ବନ୍ଧା ହେଲେ ରସିକ ସିଆରପିଏଫ୍ ଅଫିସର: ଡେରାଡୁନରୁ ଗିରଫ କଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ସିଆରପିଏଫ୍ ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସିଆରପିଏଫ୍ ରେ ସବ-ଇନସ୍ପେକ୍ଟର ଭାବେ କାମ କରୁଥିବା ଡେରାଡୁନ ରାୟପୁରର ଭୂପିନ୍ଦର କୁମାର। ପୁଲିସ ତାକୁ ଡେରାଡୁନରୁ ଗିରଫ କରିଥିବା ବେଳେ ସୋମବାର କୋର୍ଟ ଚାଲାଣ କରିଛି। ଏଥିସହିତ ପୀଡ଼ିତାଙ୍କ ୧୬୧ ଓ ୧୬୪ ଧାରାରେ ବୟାନ ରେକର୍ଡ ମଧ୍ୟ କରାଯାଇଛି। ସୂଚନା ଅନୁସାରେ, ଡେରାଡୁନ ରାୟପୁରର ଭୂପିନ୍ଦର କୁମାର(୨୭) ଭୁବନେଶ୍ୱର ସିଆରପିଏଫ୍ ରେ ସବ୍‍-ଇନ୍ସ୍ପେକ୍ଟର ଭାବେ କାର୍ଯ୍ୟ କରନ୍ତି। ସେ କଲେଜରେ ପଢ଼ିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଭୂପିନ୍ଦର ଭୁବନେଶ୍ୱର ଆସିବା ପରେ ମଧ୍ୟ ତାଙ୍କ ସମ୍ପର୍କ ଅତୁଟ ରହିଥିଲା। ଦୁହେଁ ପରସ୍ପର ଠାରୁ ଦୂରରେ ରହିଥିଲେ ମଧ୍ୟ ପ୍ରେମ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା। ୮ମାସ ତଳେ ସେ ପ୍ରେମିକାକୁ ଭୁବନେଶ୍ୱର ଡାକିଥିଲେ। ଦୁହେଁ ଏକ ହୋଟେଲରେ କିଛିଦିନ ସାଙ୍ଗ ହୋଇ ରହିଥିଲେ। ଏହି ସମୟରେ ଭୁପିନ୍ଦର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। କିଛିଦିନ ପରେ ସେ ପ୍ରେମିକାକୁ ଫେରିଯିବାକୁ କହିଥିଲେ।

ହେଲେ ପ୍ରେମିକା ଆଉ ଫେରିବନି ବୋଲି କହିଥିଲେ। ଯେତେ ବୁଝାଇଲେ ବି ପ୍ରେମିକା ରାଜି ହୋଇନଥିଲା। ବିବାହ କରିବାକୁ ଜିଦ କରି ଭୁବନେଶ୍ୱରରେ ରହିଥିଲେ। ଶେଷରେ ଅଭିଯୁକ୍ତ ଭୁପିନ୍ଦର ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ପ୍ରେମିକ ଠାରୁ ଏଭଳି ଉତ୍ତର ଶୁଣିବା ପରେ ପ୍ରେମିକ ହତବାକ ହୋଇଯାଇଥିଲା। ବାରମ୍ବାର ତାଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଏନେଇ ସେ ଥାନାରେ ଏତଲା ଦାୟର କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସରେ ଅଭିଯୋଗ ହେବା ପରେ ଭୂପିନ୍ଦର ଛୁଟି ନେଇ ଫେରାର ହୋଇଯାଇଥିଲା।

ଦୀର୍ଘ ୪ମାସ ହେଲା ସେ କାର୍ଯ୍ୟରେ ଯୋଗ ଦେଇନଥିଲେ। ବରଂ ଏଠାରୁ ବଦଳି ହୋଇ ଅନ୍ୟତ୍ର ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଏହା ଜାଣିବା ପରେ ତାକୁ ଧରିବା ପାଇଁ ଡେରାଡୁନ ଯାଇଥିଲା। ସେଠାରେ କିଛଦିନ ଛାନଭିନ କରିବା ପରେ ରବିବାର ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା। ସୋମବାର ଅଭିଯୁକ୍ତକୁ ଭୁବନେଶ୍ୱର ଆଣିବା ପରେ କୋର୍ଟ ଚାଲାଣ କରିଛି।